ନୂଆଦିଲ୍ଲୀ: ଦକ୍ଷିଣ କଶ୍ମୀରର ପହଲଗାମରେ ଗତ ଏପ୍ରିଲ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଛି। ଏହା ପରେ ଭାରତର ‘ଅପରେସନ ସିନ୍ଦୂର’ ମାଧ୍ୟମରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଥିଲା। ଅପରେସନ ସିନ୍ଦୂର ସମୟରେ ଭାରତରେ ଅଧିକାଂଶ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ନିଷିଦ୍ଧ କରାଯାଇଥିଲା। ବୁଧବାର ଏହି ଆକାଉଣ୍ଟଗୁଡ଼ିକ ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା। କିନ୍ତୁ ଏହାର ମାତ୍ର ଗୋଟିଏ ଦିନ ପରେ ଏହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ନିଷେଧ କରାଯାଇଛି। ଶାହିଦ ଆଫ୍ରିଦୀ ଏବଂ ହାନିଆ ଆମିରଙ୍କ ସମେତ ଅନେକ ସେଲିବ୍ରିଟି ଏହି ତାଲିକାରେ ସାମିଲ ଅଛନ୍ତି।
କିଛି ଘଣ୍ଟା ପାଇଁ ଭାରତରେ ପାକିସ୍ତାନୀ ତାରକାଙ୍କ ଆକାଉଣ୍ଟ ଦେଖାଯିବା ଆରମ୍ଭ ହୋଇଥିଲା। ଅନୁମାନ କରାଯାଉଥିଲା ଯେ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି। କିନ୍ତୁ ଗୁରୁବାର ପୁଣି ଥରେ ପାକିସ୍ତାନୀ ତାରକାଙ୍କ ଆକାଉଣ୍ଟ ଭାରତରେ ଦେଖାଯିବା ବନ୍ଦ ହୋଇଗଲା। ଶାହିଦ ଆଫ୍ରିଦି, ଫୱାଦ ଖାନ କିମ୍ବା ମାହିରା ଖାନଙ୍କ ଆକାଉଣ୍ଟ ଖୋଜିବାରେ ଲେଖାଯାଇଛି 'ଏହି ଆକାଉଣ୍ଟ ଭାରତରେ ଉପଲବ୍ଧ ନାହିଁ।' ତଥାପି ଏହି ମାମଲାରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ହାନିଆ ଆମିର ସମ୍ପ୍ରତି ଭାରତୀୟ ଅଭିନେତା ଦିଲଜିତ ଜୋସାଞ୍ଜଙ୍କ ସହ ଫିଲ୍ମ ‘ସର୍ଦ୍ଦାର ଜୀ 3’ରେ କାମ କରିଛନ୍ତି। ଏହାକୁ ନେଇ ବହୁତ ବିବାଦ ହୋଇଥିଲା। ହାନିଆଙ୍କ ଆକାଉଣ୍ଟ ମଧ୍ୟ ଭାରତରେ ବ୍ୟାନ୍ କରାଯାଇଛି। ତାଙ୍କ ସହିତ ମାହିର ଖାନ, ଫୱାଦ ଖାନ, ଶାହିଦ ଆଫ୍ରିଦି, ମାୱରା ହୋକାନ, ସବା କମର ଏବଂ ଅଲି ଜାଫରଙ୍କ ଆକାଉଣ୍ଟ ଭାରତରେ ଦେଖାଯାଉନାହିଁ।
ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହା ପରେ ଭାରତ ଅପରେସନ ସିନ୍ଦୁର ସମୟରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। ଉତ୍ତେଜନା ପରିସ୍ଥିତିରେ ଭାରତ ପାକିସ୍ତାନର ଷ୍ଟାରମାନଙ୍କ ଆକାଉଣ୍ଟକୁ ବ୍ୟାନ୍ କରିଥିଲା। ପାକିସ୍ତାନ ମଧ୍ୟ ଅପରେସନ ସିନ୍ଦୁର ସମୟରେ ଭାରତର ଅନେକ ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତୀୟ ସେନା ପ୍ରତ୍ୟେକ ଆକ୍ରମଣକୁ ବିଫଳ କରିଥିଲା।
ଅଧିକ ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ବିଜୟୀ