ଢେଙ୍କାନାଳ: ଅସୁସ୍ଥ ହୋଇପଡ଼ିଛି ରୋଗୀ ବୋହୁଥିବା ଆମ୍ବୁଲାନ୍ସ । ରୋଗୀଙ୍କୁ ମେଡ଼ିକାଲ ନେବା ବାଟରେ ଅକାମୀ ହୋଇଯାଉଛି ୧୦୮ ଆମ୍ବୁଲାନ୍ସ । ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆମ୍ବୁଲାନ୍ସ ସେବାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ଗୋଟିଏ କି ଦୁଇଟି ନୁହେଁ ଏକାବେଳେ ତିନୋଟି ୧୦୮ ଆମ୍ବୁଲାନ୍ସ ଅଚଳ ହୋଇପଡ଼ିଛି । ଫଳରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ନାହିଁ ନ ଥିବା ଅବସ୍ଥା ଭୋଗିବାକୁ ପଡ଼ିଛି ।
ଜିଲ୍ଲାର କଙ୍କଡ଼ାହାଡ଼ ସାଗବାରି ଗାଁରୁ ଏକ ରୋଗୀକୁ ନେଇ ୧୦୮ ଆମ୍ବୁଲାନ୍ସ ଆସୁଥିବା ବେଳେ ଗାଡିଟି ଖରାପ ହୋଇଥିଲା । ଫଳରେ ତାଙ୍କୁ ଅନ୍ୟ ଏକ ବେସରକାରୀ ଗାଡ଼ିରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ପରଜଙ୍ଗ ମେଡିକାଲଠାରୁ ମାତ୍ର ୫୦୦ ମିଟର ଦୂରରେ ଏକ ୧୦୮ ଆମ୍ବୁଲାନ୍ସ ଖରାପ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଢେଙ୍କାନାଳ -କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲି ଗାଁ ନିକଟରେ ମଧ୍ୟ ରୋଗୀକୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ବ୍ରେକ ଡାଉନ ହୋଇଥିବା ଦେଖିବାକୁ ମିଳିଛି ।
ତେବେ ଏକାକାଳୀନ ବିଭିନ୍ନ ସ୍ଥାନରେ ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ହେବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।