ଭୁବନେଶ୍ୱର: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ମାରିବା ଘଟଣାରେ ସ୍ଥିତି ଜଟିଳ ହେବାରେ ଲାଗିଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆନ୍ଦୋଳନରତ ଓଏଏସ ସଂଘକୁ କାର୍ଯ୍ୟରେ ଯୋଗ ଦେବାକୁ ଅପିଲ୍ କରିଥିବା ବେଳେ ଅନ୍ୟପଟେ ନିଜର ଜିଦରେ ଅଟଳ ରହିଛି ସଂଘ । ରାଜ୍ୟରେ ଓଏଏସ ସଂଘର ସମୂହ ଧର୍ମଘଟ ଜାରି ରହିଛି । ଗୁରୁବାର ଏ ନେଇ ସ୍ପଷ୍ଟ କରିଛନ୍ତି ଦେଇଛନ୍ତି ଓଏଏସ ସଂଘର ସଭାପତି ଜ୍ୟୋତି ମିଶ୍ର ।
ସେ କହିଛନ୍ତି, ଅତିରିକ୍ତ କମିଶନଙ୍କୁ ମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ନ କରିବା ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ । କିନ୍ତୁ ବନ୍ୟା ଅଞ୍ଚଳରେ ଆମ ଅଫିସର କାର୍ଯ୍ୟ କରୁଛନ୍ତି । ରଥଯାତ୍ରାରେ ପ୍ରାୟ ୧୦୦ ଅପିସର ମଧ୍ୟ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂରା ଭରସା ଅଛି, ନିଶ୍ଚିତ ଆକ୍ସନ ହେବ । ଆକ୍ସନ ହେବାର ଘଣ୍ଟାଏ ଭିତରେ ସମସ୍ତେ କାର୍ଯ୍ୟରେ ଯୋଗ ଦେବେ । ଯିଏ ଏସବୁ କାମ କରାଇଛି, ତାକୁ ଗିରଫ କରିବା ପାଇଁ ଆମର ଦାବି ରହିଛି । ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇ ଥିବାରୁ ସରକାରଙ୍କୁ ଧନ୍ୟବାଦ ।
ଏହା ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨, ୩ ଥାଏ । ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ। ମୁଁ ନିଜେ ସାମ୍ନାକୁ ଆସିଥିଲି, ଆମ ଉପରେ ଭରସା ରଖନ୍ତୁ। ଯେଉଁ ଅଫିସର ଧର୍ମଘଟରେ ଅଛନ୍ତି, ତାଙ୍କ କଷ୍ଟ ଓ ଭାବନା ସହ ସରକାର ଅଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଏହି ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି, ଦଳରୁ ନିଲମ୍ବନ ବି ହୋଇଛି। ଯଦି ବିନା ପ୍ରମାଣରେ ପ୍ରଚ୍ଛଦ ପଟର କିଏ ଗିରଫ ହୁଅନ୍ତି ତେବେ କୋର୍ଟ ଗ୍ରହଣ କରିବେନି । ଯେଉଁମାନଙ୍କ ଭିଡିଓ ଫୁଟେଜ ଅଛି, ସେମାନେ ଗିରଫ ହୋଇ ସାରିଛନ୍ତି। ପ୍ରଚ୍ଛଦ ପଟରେ କିଏ, ଖୋଜିବାକୁ ଟିକେ ସମୟ ଲାଗିବ, କେହି ବର୍ତ୍ତିବେ ନାହିଁ।ଧର୍ମଘଟକୁ ନେଇକି ବି ସୁପ୍ରିମକୋର୍ଟର ନିର୍ଦ୍ଦେଶ ରହିଛି।ରଥଯାତ୍ରା ସହ ବନ୍ୟା ପରିସ୍ଥିତି ରହିଛି, ଧର୍ମଘଟ ସ୍ଥଗିତ ରଖନ୍ତୁ, ପରେ କରିପାରିବେ ବୋଲି ମନ୍ତ୍ରୀ ଅଫିସର ମାନଙ୍କୁ ଅପିଲ୍ କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ସନ୍ଧ୍ୟାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ସମ୍ଭାବନା ସେହି ସମୟରେ ବଢିଥିଲା ଯେତେବେଳେ ଜଗନ୍ନାଥ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିିଲେ । ସେହି ସମୟରେ ଖାରବେଳନଗର ଥାନା ପୋଲିସ ଛାଉଣୀରେ ଭର୍ତ୍ତି ହୋଇଥିଲା । ଏସିପି ମଧ୍ୟ ଥାନାକୁ ଆସିଥିଲେ । ଲାଗୁଥିଲା ଜଗନ୍ନାଥ ପ୍ରଧାନ ବିଜେପି କାର୍ଯ୍ୟାଳୟରୁ ବାହାରିବା ପରେ ତାଙ୍କୁ ଗିରଫ କରାଯିବ । ଗତକାଲି ଏହି ନେତା ବିଜେପିର ଶୃଙ୍ଖଳାଗତ କମିଟି ଆଗରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ ।