ନୂଆଦିଲ୍ଲୀ: କଂଗ୍ରେସ ନେତା ଅଜୟ କୁମାର ସିକ୍କିମକୁ ପଡୋଶୀ ଦେଶ ବୋଲି କହିଛନ୍ତି । ତାଙ୍କର ଏମିତି ଟିପ୍ପଣୀକୁ ରାଜ୍ୟର ରାଜନୈତିକ ଦଳ ସହିତ ସମାଜର ବିଭିନ୍ନ ବର୍ଗ କଡା ସମାଲୋଚନା କରିଛନ୍ତି । କୁମାର ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ସମୟରେ ସିକ୍କିମକୁ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ସହିତ ପଡୋଶୀ ଦେଶ ବୋଲି ଦର୍ଶାଇଥିଲେ । ଏହି ପ୍ରସଙ୍ଗରେ ବିବାଦ ହବା ପରେ ବରିଷ୍ଠ କଂଗ୍ରେସ ନେତା ମଙ୍ଗଳବାର କ୍ଷମା ମାଗିବା ସହ କହିଛନ୍ତି, ତାଙ୍କ ପାଟି ଖସି ଯାଇଥିଲା ।
ସେ କହିଛନ୍ତି, ଭାରତୀୟ ଇସ୍ପାତ ପ୍ରାଧିକରଣର ୪୦୦ କୋଟିର ଦୁର୍ନୀତି ଉପରେ ନିଜର ସାମ୍ବାଦିକ ସମ୍ମିଳନୀରେ ନିଜର ପଡୋଶୀ ଦେଶ ସହିତ ଭାରତର ବିଗିଡିଥିବା ସମ୍ବନ୍ଧ ଉପରେ ତଥ୍ୟ ରଖୁଥିଲି । ଏହି ସମୟରେ ମୋ ପାଟି ଖସି ଯିବାରୁ ଭୁଲ ବଶତଃ ରାଜ୍ୟର ନାଁକୁ ଦେଶ ଭାବେ କହି ଦେଲି । ଏଥିପାଇଁ ମୁଁ ହୃଦୟରୁ କ୍ଷମା ମାଗୁଛି । ବିଜେପି ବିରୋଧୀ ଦଳର ନେତାଙ୍କ ଛୋଟ ମୋଟ ଭୁଲ ଉପରେ ମଧ୍ୟ ନଜର ରଖୁଛି । ଆଉ ଏହାକୁ ଅତି ରଞ୍ଜିତ କରି ଉପସ୍ଥାପନ କରୁଛି ।
ସିକ୍କିମର ଏକମାତ୍ର ଲୋକସଭା ସାଂସଦ ଇନ୍ଦ୍ର ହଙ୍ଗ ସୁବା କହିଛନ୍ତି ଯେ, କୁମାରଙ୍କ ଏମିତି ଟିପ୍ପଣୀ ଦାୟିତ୍ୱହୀନ ଓ ଅପମାନଜନକ । ଏହା ରାଜ୍ୟବାସୀଙ୍କ ପାଇଁ ଗମ୍ଭୀର ଅପମାନ, ଯେଉଁମାନେ ଦେଶ ପ୍ରତି ଅତୁଟ ନିଷ୍ଠା ସହ ଛିଡା ହୋଇ ରହିଛନ୍ତି । ଏମିତି ବିଭାଜନକାରୀ ଟିପ୍ପଣୀ ଆମର ସାମ୍ବିଧାନିକ ଏକତା ପ୍ରତି ଅପମାନ ।