ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ବଦଳାଇବା ଦାବିକୁ ନେଇ ଜାରି ଦଳୀୟ କନ୍ଦଳରେ ପେଶି ହେଉଛି । ସ୍ଥିତି ଏମିତି ଯେ, ଏହି ପ୍ରସଙ୍ଗ ଉପରେ ହାତ ଟେକି ଦେଇ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ଛାଡିଛନ୍ତି । ଦଳର ଚିନ୍ତା ଏତିକିରେ ସୀମିତ ନୁହେଁ । ଏବେ ଜମ୍ମୁ-କାଶ୍ମୀରରେ ଦଳର ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛି । ଜମ୍ମୁ-କାଶ୍ମୀର ରାଜ୍ୟ କଂଗ୍ରେସ ସଭାପତି ହମୀଦ କର୍ରାଙ୍କ ବିରୋଧରେ ଅନେକ ବରିଷ୍ଠ ନେତା ସାମ୍ନାକୁ ଆସିଛନ୍ତି । ହମଦୀଙ୍କୁ ସଭାପତି ପଦରୁ ହଟାଇବାକୁ ଦାବି କରିଛନ୍ତି । କର୍ରାଙ୍କୁ ରାହୁଲ ଗାନ୍ଧୀଙ୍କ ପସନ୍ଦର ନେତା ବୋଲି କୁହାଯାଏ ।
ଏପରିକି କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସଂପାଦକ ନାସିର ହୁସେନଙ୍କ ଶ୍ରୀନଗର ଆଗମନରେ କର୍ରାଙ୍କ ପକ୍ଷରୁ ଏକ ଭୋଜିର ବି ଆୟୋଜନ ହୋଇଥିଲା । ଏଥିରେ ଅସନ୍ତୁଷ୍ଟ ନେତାମାନେ ସାମିଲ ହୋଇ ନ ଥିଲେ । ଏଥିରୁ ଜଣା ପଡୁଛି ଯେ, ମତଭେଦ କେଉଁ ସ୍ତରରେ ପହଞ୍ଚି ସାରିଛି । କେବଳ ଏତିକି ନୁହେଁ ପାର୍ଟିର କାର୍ଯ୍ୟକ୍ରମକୁ ମଧ୍ୟ ଅସନ୍ତୁଷ୍ଟ ନେତା ଯାଉ ନାହାନ୍ତି । ତାରିକ ହମୀଦ କର୍ରାଙ୍କ ବିରୋଧରେ ପ୍ରାୟ ୨୦ ବଡ ନେତା ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି । ଏହି ନେତାଙ୍କ ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚନ୍ଦ, ପୂର୍ବତନ ରାଜ୍ୟ ସଭାପତି ବିକାର ରସୁଲ ୱାନି ଏବଂ ବରିଷ୍ଠ ନେତା ଗୁଲାମ ନବି ମୋଙ୍ଗା ମଧ୍ୟ ସାମିଲ ।
ଏହା ବ୍ୟତୀତ ମନୋହର ଲାଲ ଶର୍ମା ଓ ମହମ୍ମଦ ଅନୱର ଭଟ୍ଟ ମଧ୍ୟ ଦିଲ୍ଲୀ ଯାଇ ପାର୍ଟି ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଉଦ୍ୟମ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ରାହୁଲ ଗାନ୍ଧୀ କିମ୍ବା ଖଡଗେଙ୍କ ପକ୍ଷରୁ ସମୟ ମିଳିନାହିଁ । ଏହି ସବୁ ନେତାଙ୍କ କହିବା କଥା କର୍ରା ବରିଷ୍ଠ ନେତାଙ୍କୁ ଗୁରୁତ୍ୱ ଦେଉ ନାହାନ୍ତି । ତାଙ୍କୁ ପିଡିପିରୁ ଆଣି କଂଗ୍ରେସରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ସେ କିଛି ଜାଣି ପାରୁ ନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି । ସେ କଂଗ୍ରେସ ପ୍ରସଙ୍ଗରୁ ଓହରି ଟିପ୍ପଣୀ କରୁଛନ୍ତି । ଉଲ୍ଲେଖନୀୟ ଜମ୍ମୁର ପୂରା କ୍ଷେତ୍ରରେ କଂଗ୍ରେସକୁ ଗୋଟିଏ ବି ସିଟ୍ ନ ମିଳିବା ପରେ ଦଳରେ ଉତ୍ତେଜନା ଚରମରେ ରହିଛି ।