ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜନୀତି ଚରମରେ ରହିଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ କହିବା କଥା ସେ ପୂରା ୫ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ତାଙ୍କର ଏମିତି ବୟାନ ଡିକେ ଶିବକୁମାରଙ୍କ ସମର୍ଥକଙ୍କ ପାଇଁ ବଡ ଝଟକା । କାରଣ ମଙ୍ଗଳବାର ଶିବକୁମାରଙ୍କ ଗୋଷ୍ଠୀ ଦାବି କରୁଥିଲେ ଯେ, ସେମାନଙ୍କ ନିକଟରେ ୧୦୦ ବିଧାୟକଙ୍କ ସମର୍ଥନ ରହିଛି । ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ ଏହା ଉଚିତ୍ ସମୟ । ଯଦି ଏମିତି ନ ହୁଏ ତେବେ କଂଗ୍ରେସ ପାଇଁ ଆଗାମୀ ନିର୍ବାଚନ ଜିତିବା ମୁସ୍କିଲ ହୋଇଯିବ ।
ତେବେ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦରେ ରହିବା କଥା କହିବା ପରେ ଡିକେ ଶିବକୁମାରଙ୍କ ଗୋଷ୍ଠୀ ଏବେ ନରମ ପଡିଥିବା ଦେଖିବାକୁ ମିଳିଛି । ଏପରିକି ଶିବକୁମାର ମଧ୍ୟ ନିଜ ସମର୍ଥକଙ୍କ ବୟାନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ବିଧାୟକ ଇକବାଲ ହୁସେନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ । ଇକବାଲ ହୁସେନ ହିଁ ଦାବି କରିଥିଲେ ଯେ, ଆମ ପାଖରେ ୧୦୦ ବିଧାୟକଙ୍କ ସମର୍ଥନ ରହିଛି, ଯେଉଁମାନେ ଚାହାନ୍ତି ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । ଆମର ଏହି ଦାବି ପାର୍ଟି ହାଇକମାଣ୍ଡଙ୍କ ନିକଟରେ ରଖିବାକୁ ଚାହୁଁ ବୋଲି ଇକବାଲ ହୁସେନ କହିଥିଲେ ।
ହୁସେନଙ୍କ ଏହ ବୟାନକୁ ନେଇ ଡିକେ ଶିବକୁମାର କହିଛନ୍ତି, ବିଧାୟକଙ୍କ ଗହଣରେ କୌଣସି ଅସନ୍ତୋଷ କିମ୍ବା ଟଣାଓଟରା ସ୍ଥିତି ନାହିଁ । ଆମେ ସମସ୍ତ ବିଧାୟକଙ୍କ ଦାୟିତ୍ୱ ଓ ଉତ୍ତରଦାୟୀ ସ୍ଥିର କରୁଛୁ । ମୁଁ ଇକବାଲ ହୁସେନଙ୍କୁ ନୋଟିସ ଜାରି କରିବି । ଏହା ବାଦ ଏମିତି ଅନ୍ୟ ବିଧାୟକଙ୍କ ସହ ମଧ୍ୟ ଆଲୋଚନା କରିବି, ଯେଉଁମାନେ ପାର୍ଟି ଲାଇନରୁ ଓହରି ବିପରୀତ ବୟାନ ଦେଉଛନ୍ତି । ଉଲ୍ଲେଖନୀୟ ଡିକେ ଶିବକୁମାରଙ୍କ ଗୋଷ୍ଠୀର ଏହି ଦାବି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚି ସାରିଥିଲା ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତ ସ୍ପଷ୍ଟ ଶବ୍ଦରେ କହିଥିଲେ ଯେ, ଏହି ପ୍ରସଙ୍ଗରେ ଯାହା ବି ନିଷ୍ପତ୍ତି ପାର୍ଟି ହାଇକମାଣ୍ଡ ନେବେ । ପୁଣି ମଙ୍ଗଳବାର ରଣଦୀପ ସୁରଜେୱାଲା ଡିକେ ଶିବକୁମାରଙ୍କ ସହ ବୈଠକ କରି ମିଡିଆ ସହ କଥା ହୋଇଥିଲେ । ଶେଷରେ ସେ ସବୁ କିଛି ଶାନ୍ତ କରିବାରେ ସଫଳ ହୋଇଛନ୍ତି ।