ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବଦଳିବାର ସମ୍ଭାବନା ଉପରେ ଡବ ବୟାନ ଦେଇଛନ୍ତି । ପାର୍ଟିର କିଛି ନେତାଙ୍କ ଟିପ୍ପଣୀ ଉପରେ ଖଡଗେ କହିଛନ୍ତି, ଏମିତି ମାମଲାରେ ନିଷ୍ପତ୍ତି ପାର୍ଟିର ହାଇକମାଣ୍ଡ କରିବେ । ଏଥିରେ କୌଣସି ବି ଅନାବଶ୍ୟକ ସମସ୍ୟା ସୃଷ୍ଟି ହେବା ଉଚିତ୍ ନୁହେଁ । ଖଡଗେ ରାଜ୍ୟରେ କଂଗ୍ରେସର କିଛି ନେତାଙ୍କ ପକ୍ଷରୁ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ବଦଳି କରାଯିବା ଦାବି ସମ୍ବନ୍ଧରେ ଉପରୋକ୍ତ ବୟାନ ଦେଇଛନ୍ତି ।
ଖଡଗେ କହିଛନ୍ତି, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବଦଳି ନିଷ୍ପତ୍ତି ହାଇକମାଣ୍ଡ ନେବେ । ଏହି ନିଷ୍ପତ୍ତି ମୁଁ ତାଙ୍କ ଉପରେ ଛାଡୁଛି । ଆଗକୁ କୌଣସି ବି ନିଷ୍ପତ୍ତି ନେବାର ଅଧିକାର ହାଇକମାଣ୍ଡଙ୍କ ପାଖରେ ରହିଛି । ୨୦୨୩ରେ ଯେବେ କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିଲା, ସେହି ସମୟରେ କୁହାଯାଉଥିଲା ଯେ, ସିଦ୍ଧରମୈୟା ଓ ଡିକେ ଶିବ କୁମାର ଅଢେଇ ଅଢେଇ ବର୍ଷ ରାଜ୍ୟର ନେତୃତ୍ୱ ନେବେ । ତେବେ ଏମିତି ଖବରକୁ ନା ପାର୍ଟି ସଠିକ୍ କହିଛି ନା ଭୁଲ୍ ବୋଲି କହିଛି । କିନ୍ତୁ ସେହି ସମୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କର୍ଣ୍ଣାଟକ କଂଗ୍ରେସରେ କନ୍ଦଳ ତୀବ୍ର ରହିଥିଲା । ରାଜ୍ୟ କଂଗ୍ରେସ ଦୁଇ ଗୋଷ୍ଠୀରେ ବିଭାଜନ ହୋଇଥିଲା ।
ବର୍ତ୍ତମାନ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଥିବା ବେଳେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି । କଂଗ୍ରେସର ବିଧାୟକ ଏଚଏ ଇକବାଲ ହୁସେନ ରବିବାର କହିଥିଲେ ଯେ, ଶିବକୁମାରଙ୍କୁ ଆଗାମୀ ଦୁଇରୁ ତିନି ବର୍ଷ ଭିତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିପାରେ । ଶିବକୁମାରଙ୍କ ନିକଟତର କୁହାଯାଉଥିବା ଇକବାଲଙ୍କ ଏହି ବୟାନ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନର ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଛି ।