ହାଇଦ୍ରାବାଦ: ଭାରତୀୟ ଜନତା ପାର୍ଟି ବିଭିନ୍ନ ରାଜ୍ୟର ସଭାପତି ଚୟନ କରୁଛି । ଏହା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ । ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସକାଳେ ତେଲେଙ୍ଗାନା ରାଜ୍ୟ ସଭାପତିଙ୍କ ନାମ ଦଳ ଘୋଷଣା କରିପାରେ । ରବିବାର ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସଭାପତି ପଦ ପାଇଁ କେବଳ ଗୋଟିଏ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଏନ୍. ରାମଚନ୍ଦ୍ର ରାଓ ଏକୁଟିଆ ନାମାଙ୍କନ ଭରି ଥିବାରୁ ଦଳ ତାଙ୍କ ନାମରେ ମୋହର ମାରିବାର ସମ୍ଭାବନା ରହିଛି ।
ଆଜି ଅପରାହ୍ନ 4ଟାରୁ 5 ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରିବାର ଅବଧି ରହିଛି । ଯଦି କେହି ନାମାଙ୍କନ ଦାଖଲ ନ କରନ୍ତି, ତେବେ ଦଳ ପକ୍ଷରୁ ସଭାପତିଙ୍କ ନାମ ଘୋଷଣା କରାଯିବ ।
ଏନ୍. ରାମଚନ୍ଦ୍ର ରାଓ ଆରଏସ୍ଏସ୍ ସଂଘର ପୁରୁଣା ସଦସ୍ୟ ଅଟନ୍ତି । ସେ ପେଶାରେ ଜଣେ ଆଇନଜୀବୀ ଅଟନ୍ତି । 1985ରେ ଓକିଲାତି ପଢ଼ା ଶେଷ କରିଥିଲେ । 2014ରେ ବାର୍ କାଉନସିଲ ସଦସ୍ୟଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ରାଓ ଛାତ୍ର ଜୀବନରୁ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଛାତ୍ର ନେତାଭାବରେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି । ଏହା ସହିତ ତେଲେଙ୍ଗାନା ବିଧାନ ପରିଷଦର ମଧ୍ୟ ସଦସ୍ୟ ରହିସାରିଛନ୍ତି । ଅବିଭାଜିତ ଆନ୍ଧ୍ର ପ୍ରଦେଶରେ ରାଜ୍ୟ ମହାସଚିବ ଓ ମୁଖପାତ୍ର ଥିଲେ । ସେ ଜୀ କିଶନ ରେଡ୍ଡୀଙ୍କ ସ୍ଥାନ ଗ୍ରହଣ କରିବେ ।
ତେବେ ଏବେବି ବିଭିନ୍ନ ରାଜ୍ୟର ସଭାପତି ନିର୍ବାଚିତ ହୋଇ ନାହାଁନ୍ତି । ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ମଧ୍ୟ ପ୍ରଦେଶ ଭଳି ବଡ଼ ବଡ଼ ରାଜ୍ୟରେ ସଭାପତି ଘୋଷଣା ହୋଇ ନାହାଁନ୍ତି । ଏହି ସମସ୍ତ ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣା କରାଯିବା ।