ନୂଆଦିଲ୍ଲୀ: ଆଇପିଏଲ-୨୦୨୫ର ୩୯ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ସୋମବାର କୋଲକାତା ନାଇଟ୍ ରାଇଡର୍ସକୁ ୩୯ ରନରେ ପରାସ୍ତ କରିଛି। ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚ୍ରେ, ଗୁଜରାଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ତିନି ୱିକେଟ୍ ହରାଇ ୧୯୮ ରନ୍ କରିଥିଲା। ଜବାବରେ କୋଲକାତା ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍ କରିପାରିଥିଲା।
ଗୁଜରାଟ ଟାଇଟାନ୍ସ ଚଳିତ ଆଇପିଏଲ୍ର ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନକୁ ଆହୁରି ମଜବୁତ କରିଛି। ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟାନ୍ସ ୮ ମ୍ୟାଚ୍ ମଧ୍ୟରେ ଷଷ୍ଠ ବିଜୟ ହାସଲ କରିବା ସହ ୧ ନମ୍ବରରେ ରହିଛି।
ପଏଣ୍ଟ ଟେବୁଲରେ, ଗୁଜରାଟ ଟାଇଟାନ୍ସ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱିତୀୟ ସ୍ଥାନରେ ଅଛି। ଦିଲ୍ଲୀ ୭ଟି ମ୍ୟାଚ୍ରୁ ୫ଟିରେ ବିଜୟୀ ହୋଇଛି। ରଜତ ପାଟିଦାରଙ୍କ ନେତୃତ୍ୱାଧୀନ ଆରସିବି ତୃତୀୟ ସ୍ଥାନରେ ରହିଛି। ପଞ୍ଜାବ କିଙ୍ଗସ୍ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନ ହାସଲ କରିଛନ୍ତି।
୨୦୨୫ ଆଇପିଏଲରେ ସର୍ବାଧିକ ରନ୍ ସ୍କୋର କରିବାରେ ଗୁଜୁରାଟ ଟାଇଟାନ୍ସର ଓପନର ସାଇ ସୁଦର୍ଶନ ନମ୍ବର-୧ରେ ଅଛନ୍ତି। ସୋମବାର ଦିନ ସୁଦର୍ଶନ କେକେଆର ବିପକ୍ଷରେ ୫୨ ରନର ଏକ ଚମତ୍କାର ଇନିଂସ ଖେଳି ଅରେଞ୍ଜ କ୍ୟାପ୍ ଜିତିଥିଲେ। ଏହି ବାମହାତୀ ବ୍ୟାଟସମ୍ୟାନ୍ ଚଳିତ ସିଜିନରେ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳି ୪୧୭ ରନ କରିଛନ୍ତି ଏବଂ ଏଥିରେ ସେ ପାଞ୍ଚଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
ଲକ୍ଷ୍ନୌ ସୁପରଜିଆଣ୍ଟସର ନିକୋଲାସ ପୁରନ ୩୬୮ ରନ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗୁଜରାଟ ଟାଇଟାନ୍ସର ଜୋସ୍ ବଟଲର୍ ୩୫୬ ରନ୍ ସହିତ ତୃତୀୟ ସ୍ଥାନରେ ଅଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବ (୩୩୩) ଏବଂ ଆରସିବିର ବିରାଟ କୋହଲି (୩୨୨) ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଅଛନ୍ତି।
ଗୁଜରାଟ ନମ୍ବର ୧
- ୨୦୨୫ ଆଇପିଏଲରେ ସର୍ବାଧିକ ୱିକେଟ ନେବା ଦୌଡ଼ରେ ଗୁଜରାଟ ଟାଇଟାନ୍ସର ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ନମ୍ବର-୧ରେ ଅଛନ୍ତି। ସେ ୮ ମ୍ୟାଚ୍ରେ ୧୬ ୱିକେଟ୍ ନେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସର କୁଲଦୀପ ଯାଦବ ୭ଟି ମ୍ୟାଚ୍ ଖେଳି ୧୨ଟି ୱିକେଟ୍ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ନୁର ଅହମ୍ମଦ ୮ଟି ମ୍ୟାଚ୍ରେ ୧୨ଟି ୱିକେଟ୍ ନେଇ ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି, ଗୁଜରାଟର ବାମହାତୀ ସ୍ପିନର ସାଇ କିଶୋର ୮ ମ୍ୟାଚ୍ରେ ୧୨ ୱିକେଟ୍ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି। ଆରସିବିର ଜୋଶ ହାଜେଲଉଡ୍ ୮ଟି ମ୍ୟାଚ୍ରେ ୧୨ଟି ୱିକେଟ୍ ସହିତ ପଞ୍ଚମ ସ୍ଥାନରେ ଅଛନ୍ତି।
ଅଧିକ ପଢ଼ନ୍ତୁ: ରାଜସ୍ଥାନରେ ରୁପା ପାଉଁଜୀ ପାଇଁ ମହିଳାଙ୍କୁ ନିର୍ମମ ହତ୍ୟା