କୋଲକାତା: ଆଇପିଏଲ୍ ୨୦୨୫ର ୩୯ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏକତରଫା ଭାବେ କୋଲକାତା ନାଇଟ୍ ରାଇଡର୍ସକୁ ୩୯ ରନରେ ହରାଇଛି । ଅଧିନାୟକ ଶୁଭମନ ଗିଲଙ୍କ ୯୦ ରନ ପରେ ବୋଲରଙ୍କ ଘାତକ ବୋଲିଂ ବଳରେ କୋଲକାତାକୁ ତାରି ଘରୋଇ ମାଟିରେ ହରାଇଛି ଗୁଜରାଟ । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ୍ ହରାଇ ୧୯୮ ରନ କରିଥିଲା । ଜବାବରେ କୋଲକାତା ୮ ୱିକେଟ୍ ହରାଇ ୧୫୯ ରନ କରି ପାରିଥିଲା । ଅଷ୍ଟମ ମ୍ୟାଚରୁ ଗୁଜରାଟ ୬ଟି ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ନିଜର ସ୍ଥାନ ମଜବୁତ କରିଛି । ଅନ୍ୟପଟେ କୋଲକାତା ପଞ୍ଚମ ପରାଜୟ ଭୋଗିଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସର ଦୁଇ ଓପନର ସାଇ ସୁଦର୍ଶନ ଓ ଶୁଭମନ ଗିଲ୍ ଦମଦାର ଆରମ୍ଭ ଦେଇଥିଲେ । ଉଭୟ ବିସ୍ଫୋରକ ବ୍ୟାଟିଂ କରିବା ସହ ଓପନିଂ ଯୋଡିରେ ୧୧୪ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ । ସାଇ ସୁଦର୍ଶନ ଚଳିତ ସିଜିନରେ ଆଉ ଅର୍ଦ୍ଧଶତକ ହାସଲ କରିଥିଲେ । ସାଇ ୩୬ ବଲରୁ ୫୨ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ଗିଲ୍ ଓ ଜୋସ ବଟଲର ଦଳର ଇନିଂସ ଆଗକୁ ନେଇଥିଲେ । ଶତକ ଆଡକୁ ଅଗ୍ରସର ହେଉଥିବା ଗିଲ୍ ୫୫ ବଲରୁ ୯୦ ରନର ଜବରଦସ୍ତ ଇନିଂସ ଖେଳି ପାଭିଲିୟନ ଫେରିଥିଲେ. ଏଥିରେ ୧୦ ଚୌକା ଓ ୩ ଛକା ସାମିଲ । ଜୋସ ବଟଲର ୪୧ ରନ କରି ଅପରାଜିତ ଥିଲେ । ଶେଷରେ ଗୁଜରାଟ ୩ ୱିକେଟ ହରାଇ ୧୯୮ ରନ କରିଥିଲା ।
ଜବାବରେ କୋଲକାତାର ଇନିଂସ ଆରମ୍ଭରୁ ଭୁଶୁଡିଥିଲା । ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା । ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ । ରାହାଣେ ୩୬ ବଲରୁ ୫୦ ରନର ଇନିଂସ ଖେଳିଥିଲେ । ମଧ୍ୟ କ୍ରମର ପୂରା ଫେଲ୍ ମାରିଥିଲେ । ସୁନିଲ ନାରାୟଣ ୧୭ ରନ, ଭେଙ୍କଟେଶ ଆୟର ୧୪ ରନ, ରିଙ୍କୁ ସିଂ ୧୭ ରନ କରି ନିରାଶ କରିଥିଲେ । ଆନ୍ଦ୍ରେ ରସେଲ ୨୧ ରନ କରିଥିଲେ ହେଁ ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ । ଅଙ୍ଗକୃଷ ରଘୁବଂଶୀ ୨୭ ରନ କରି ଅପରାଜିତ ଥିଲେ । କୋଲକାତା ୮ ୱିକେଟ୍ ହରାଇ ୧୫୯ ରନ କରି ପାରିଥିଲା ।