ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଜି ଅର୍ଥାତ ଏପ୍ରିଲ ୨୩ରେ ଆଇପିଏଲ ୨୦୨୫ର ୪୧ତମ ମ୍ୟାଚ୍ ଖେଳାଯିବ । ଏହି ମୁକାବିଲା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ । ତେବେ ଜମ୍ମୁ-କାଶ୍ମୀରର ପହଲଗାମରେ ଗତକାଲି ଘଟିଥିବା ଆତଙ୍କୀ ହମଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଦୁଇ ଦଳର ଖେଳାଳି ଓ ଅମ୍ପାୟର ହାତରେ କଳା ପଟି ବାନ୍ଧି ମଇଦାନକୁ ଓହ୍ଲାଇବେ ।
ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ୨୦୧୯ ପୁଲୱାମାରେ ଘଟିଥିବା ଆତଙ୍କୀ ହମଲା ପରେ ଏହା ସବୁଠୁ ଘାତକ ହମଲା ଥିଲା । ବିସିସିଆଇ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆଜି ଆଇପିଏଲ ମ୍ୟାଚ ସମୟରେ ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନିଷ୍ପତ୍ତି ନିଆଯାଇଛି ।
ଏହି ଘଟଣାରେ ଭାରତୀୟ କ୍ରିକେଟ୍ ଦଳର ଅନେକ ଖେଳାଳି ସାମାଜିକ ଗଣମାଧ୍ୟମରେ ଦୁଃଖ ପ୍ରକାଶ କରିବା ସହିତ ଭାରତୀୟଙ୍କୁ ଏକଜୁଟ ରହିବାକୁ ଅପିଲ୍ କରିଛନ୍ତି । ଆଜିର ମ୍ୟାଚରେ ଖେଳାଳି ଓ ଅମ୍ପାୟର କଳା ପଟି ବାନ୍ଧି ମଇଦାନକୁ ଓହ୍ଲାଇବେ । ଖେଳ ଆରମ୍ଭ ହେବା ପୂର୍ବରୁ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରାଯିବ । ଏଥିସହ ଏହି ମ୍ୟାଚରେ ଚିୟର ଗାର୍ଲ୍ସ ରହିବେ ନାହିଁ । ଷ୍ଟାଡିୟମରେ କୌଣସି ଆତସବାଜି ହେବ ନାହିଁ ।
ପହଲଗାମ ଆତଙ୍କୀ ହମଲାରେ ୨୬ ପର୍ଯ୍ୟଟଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ମୃତକମାନେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଗୁଜରାଟ, ଓଡିଶା, ହରିୟାଣା, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶର ଥିଲେ । ଏଥିରେ ଦୁଇ ଜଣ ବିଦେଶୀ ନାଗରିକ ନେପାଳ ଓ ୟୁଏଇର ଥିବା କୁହାଯାଉଛି ।