ନୂଆଦିଲ୍ଲୀ: ବାଂଲାଦେଶ ଏ ରାଇଜିଂ ଷ୍ଟାର୍ସ ଏସିଆ କପର ପ୍ରଥମ ସେମି ଫାଇନାଲରେ ଭାରତ ଏକୁ ସୁପର ଓଭରରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଆଉ ଭାରତର ଅଭିଯାନ ସେମିରେ ସମାପ୍ତ ହୋଇଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୪ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଭାରତ ମଧ୍ୟ ସମାନ ୬ ୱିକେଟ୍ ହରାଇ ୧୯୪ ରନ କରିବାରୁ ମ୍ୟାଚ୍ ଟାଇ ରହିଥିଲା । ଏହା ପରେ ସୁପର ଓଭରରେ ଭାରତ ଏକ ରନ ବି କରି ପାରି ନ ଥିଲା । ଆଉ ବାଂଲାଦେଶ ଦ୍ୱିତୀୟ ବଲରେ ମ୍ୟାଚ୍ ଜିତି ନେଇଛି ।
୧୯୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଦଳକୁ ଦମଦାର ଆରମ୍ଭ ଦେଇଥିଲେ ବୈଭବ ସୂର୍ଯ୍ୟବଂଶୀ ଓ ପ୍ରିୟାଂଶ ଆର୍ଯ୍ୟ । ଦୁହିଁଙ୍କ ମଧ୍ୟରେ ୫୩ ରନର ଭାଗିଦାରୀ ହୋଇଥିଲା । ବୈଭବ ୧୫ ବଲରୁ ୩୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଏହି ଇନିଂସରେ ୪ ଛକା ଓ ୨ ଚୌକା ସାମିଲ୍ । ଏହା ପରେ ନମନ ଧୀର ୧୨ ବଲରୁ ମାତର୍ ୭ ରନ କରି ପାରିଥିଲେ । ପ୍ରିୟାଂଶ ଆର୍ଯ୍ୟ କ୍ରିଜରେ ଜମି ୨୩ ବଲରୁ ୪୪ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ । ଅଧିନାୟକ ଜିତେଶ ଶର୍ମା ୨୩ ବଲ୍ ଖେଳିଥିଲେ ହେଁ ୩୩ ରନ କରି ପାରିଥିଲେ । ରମଣଦୀପ ୧୧ ବଲରୁ ୧୭ ରନ କରିଥିଲେ । ଆଶୁତୋଷ ଶର୍ମା ୬ ବଲରୁ ୧୩ ରନ କରିବାରୁ ଭାରତ ୧୯୪ ରନ କରି ମ୍ୟାଚ୍ ଟାଇ କରିଥିଲା ।
ଏହା ପୂର୍ବରୁ ବ୍ୟାଟିଂ କରିଥିବା ବାଂଲାଦେଶ ଦମଦାର ଆରମ୍ଭ କରିଥିଲା । ରେହମାନ ସୋହନ ଓ ଜିଶାନ ଆଲମ ପ୍ରଥମ ୱିକେଟ୍ ପାଇଁ ୪୩ ରନ ଯୋଡିଥିଲେ । ଆଲମ ୧୪ ବଲରୁ ୧୬ ରନ କରିଥିଲେ । ଅବରାର ୧୩ ଓ ଅଧିନାୟକ ଆକବର ଅଲ୍ଲୀ ୯ ରନ କରି ପାଭିଲିୟନ ଫେରିଥିଲେ । ଅବୁ ହାଇଦର ଖାତା ଖୋଲି ପାରି ନ ଥିଲେ । ଓପନିଂ ବ୍ୟାଟର ରେହମାନ ସୋହନ ୪୬ ବଲରୁ ୬୫ ରନର ଦମଦାର ଇନିଂସ ଖେଳିଥିଲେ । ଏସଏମ ମେହରବ ନମନ ଧୀରଙ୍କ ଗୋଟିଏ ଓଭରରେ ୨୮ ରନ କରିବାରୁ ବାଂଲାଦେଶ ୧୯୪ ରନ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ । ମେହରବ ୧୮ ବଲରୁ ୬ ଛକା ଓ ୧ ଚୌକା ସହ ୪୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଦ୍ରୁତ ବୋଲର ଗୁରଜପନୀତ ସିଂ ୨ଟି ୱିକେଟ୍ ନେଇଥିଲେ ।
Also read: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଝଟକା, ଶୁବମନଙ୍କ ସ୍ଥାନରେ ପନ୍ଥ ସମ୍ଭାଳିବେ ଅଧିନାୟକ ଦାୟିତ୍ୱ