ଗୌହାଟୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମା କାମାକ୍ଷାଙ୍କ ଶରଣରେ। ଗୁରୁବାର କାମାକ୍ଷା ମନ୍ଦିର ପରିଦର୍ଶନ କରିଛନ୍ତି ଗମ୍ଭୀର। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ନଭେମ୍ବର ୨୨ରୁ ଆରମ୍ଭ ହେଉଥିବା ବେଳେ ଆସାମର ଗୌହାଟିରେ ଏହି ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ପୂର୍ବରୁ ଗମ୍ଭୀର କାମାକ୍ଷା ମନ୍ଦିରରେ ପୂଜା କରିଛନ୍ତି। ଟିମ୍ ଇଣ୍ଡିଆର କିଛି ସପୋର୍ଟ ଷ୍ଟାଫ୍ ମଧ୍ୟ ଗମ୍ଭୀରଙ୍କ ସହିତ ମନ୍ଦିର ଯାଇଥିଲେ।
ଗୌତମ ଗମ୍ଭୀର ସିରିଜ୍ କିମ୍ବା ମ୍ୟାଚ୍ ପୂର୍ବରୁ ପ୍ରାର୍ଥନା କରିବା ପାଇଁ ପ୍ରାୟତଃ ମନ୍ଦିର ପରିଦର୍ଶନ କରିଥାନ୍ତି। ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଗମ୍ଭୀର କୋଲକାତାର କାଳିଘାଟ ମନ୍ଦିରରେ ଦେବୀ କାଳୀଙ୍କୁ ପ୍ରାର୍ଥନା କରିବାକୁ ଯାଇଥିଲେ। ଦ୍ୱିତୀୟ ଟେଷ୍ଟ ଟିମ୍ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। କାରଣ ଏହି ଟେଷ୍ଟ ଜିତିଲେ ସିରିଜ୍ ୧-୧ରେ ବରାବର ହେବ। ନଚେତ୍ ଭାରତ ପୁଣି ଥରେ ଘରୋଇ ମାଟିରେ ଟେଷ୍ଟ ସିରିଜ ହାରିବାର ଅପକୀର୍ତ୍ତି ଅର୍ଜିବ। ଗୌହାଟୀ ଟେଷ୍ଟ ଡ୍ର ରହିଲେ ବି ଭାରତ ସିରିଜ୍ରେ ପରାଜିତ ହେବ। ତେଣୁ ଏହି ଟେଷ୍ଟ ଜିତିବା ଭାରତ ପାଇଁ ଜରୁରୀ।
ଉଭୟ ଦଳ ବୁଧବାର ଗୌହାଟିରେ ପହଞ୍ଚି ସାରି ଅଭ୍ୟାସ ଚଳାଇଛନ୍ତି। ଶୁଭମନ ଗିଲ୍ ଆଘାତ ଯୋଗୁଁ ଦ୍ୱିତୀୟ ଟେଷ୍ଟ ଖେଳିପାରିବେ ନାହିଁ। କୋଲକାତାରେ ପ୍ରଥମ ଟେଷ୍ଟରେ ତାଙ୍କର ବେକରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେଠାରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ନାହାନ୍ତି।
ଶୁଭମନ ଗିଲଙ୍କ ଅନୁପସ୍ଥିତିରେ, ବର୍ତ୍ତମାନ ଟେଷ୍ଟ ଦଳର ଉପ-ଅଧିନାୟକ ଥିବା ରିଷଭ ପନ୍ତ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର ନେତୃତ୍ଵ ନେବେ। ପ୍ରଥମ ଟେଷ୍ଟରେ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ୩ ନମ୍ବରରେ ସ୍ଥାନ ପାଇଥିବା ସାଇ ସୁଦର୍ଶନଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ।