ପୁରୀ: ପୁରୀ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହୋଇଥିବା ଦଳଚକଟା ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଘଟଣା ଦିନ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା ସହକାରୀ ବନ ରକ୍ଷକ ବା ଏସସିଏଫ୍ ଅଶୋକ ବେହେରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ ହୋଇଛି ।
ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ରିପୋର୍ଟ ଆଧାରରେ ୨୯ ଜୁନ୍ ୨୦୨୫ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ହୋଇଥିବା ଦଳାଚକଟା ମାମଲାରେ ଏସିଏଫ୍ ଅଶୋକ ବେହେରା କଣ୍ଟ୍ରୋଲ ରୁମ ଦାୟିତ୍ୱରେ ଥିଲେ । କାର୍ଯ୍ୟରେ ଅବହେଳା ପାଇଁ ଏସିଏଫଙ୍କ ବିରୁଦ୍ଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହ ବିଭାଗର ଅତିରିକ୍ତ ସଚିବ ସୌମେନ୍ଦ୍ର ପାତ୍ର ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ୩୦ ଦିନ ଭିତରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଆଉ ୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି । ଜଣେ ସହକାରୀ ଜିଲ୍ଲାପାଳ, ୨ ଅତିରିକ୍ତ ତହସିଲଦାର ଓ ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗ ସମ୍ପୃକ୍ତ ବିଭାଗଗୁଡ଼ିକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି ।
ଏସିଏଫ୍ ଅଶୋକ ବେହେରା ଏବଂ ପୋଲିସ ବିଭାଗର ଅନ୍ୟ ଅଧିକାରୀମାନଙ୍କୁ ଜୁନ୍ ୨୭ ରୁ ଜୁଲାଇ ୫ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ନିକଟରେ କାର୍ଯ୍ୟ କରୁଥିବା ଜିଲ୍ଲା ନିୟନ୍ତ୍ରଣ କକ୍ଷରେ ଦାୟିତ୍ୱ ଦିଆଯାଇଥିଲା। ସେମାନଙ୍କର ଦାୟିତ୍ୱରେ ପୋଲିସ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଅଧିକାରୀଙ୍କ ସହିତ ସମନ୍ୱୟ ରଖିବା, ଭକ୍ତଙ୍କ ଅସୁବିଧାମୁକ୍ତ ଦର୍ଶନ ସୁନିଶ୍ଚିତ କରିବା ପାଇଁ ଭିଡ଼ ପରିଚାଳନା ତଦାରଖ କରିବା ଏବଂ ମହୋତ୍ସବ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଅନ୍ତର୍ଭୁକ୍ତ ଥିଲା। ଗତ ମାସରେ ବନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ପଠାଯାଇଥିବା ଏକ ଚିଠିରେ ଗୃହ ବିଭାଗ କହିଛି ଯେ ନିୟନ୍ତ୍ରଣ କକ୍ଷରେ ନିୟୋଜିତ ଅଧିକାରୀମାନେ ଦଳାଚକଟା ବିଷୟରେ ଜାଣି ନଥିଲେ ଏବଂ ସେମାନଙ୍କର ଡ୍ୟୁଟି ଶେଷ ହେବା ପରେ ସେମାନେ ଏହା ଜାଣିପାରିଲେ ଏବଂ ଜୁନ୍ ୨୯ ସକାଳ ପ୍ରାୟ ୬ଟାରେ ଘରେ ପହଞ୍ଚିଥିଲେ ।
୨୦୨୨ରେ ନରସିଂହପୁର ରେଞ୍ଜ ଅଧୀନରେ ଏକ ହାତୀ ମୃତଦେହ ଉଦ୍ଧାର ପରେ ରେଞ୍ଜ ଅଧିକାରୀ ଭାବରେ ନିୟୋଜିତ ବେହେରାଙ୍କୁ ନିଲମ୍ବନ କରାଯାଇଥିଲା।
ପୂର୍ବରୁ ଏହି ମାମଲାରେ ୭ ଜଣ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରାଯାଇଥିବା ଉଲ୍ଲେଖ କରାଯାଇଥିବା ଅନୁ ଗର୍ଗଙ୍କ ରିପୋର୍ଟରେ ଦର୍ଶାଯାଇଥିଲା । କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ଦାସ, କେକେ ନାୟକ, ଡିଏସପି ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, କମାଣ୍ଡାଣ୍ଟ ଶାରଦା ଦାଶ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଦର୍ଶାଯାଇଛି । ଏହି ଅଘଟଣରେ ଜଣେ ମହିଳାଙ୍କ ସହ ଦୁଇ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଥିଲା।