ଭୁବନେଶ୍ୱର : ଶୀତ ବେଳେ ଲଘୁଚାପ ବର୍ଷାରେ ଭିଜିବ ରାଜ୍ଯ । ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ମାଲାକ୍କା ସମୁଦ୍ର ସନ୍ଧିର (Strait of Malacca) ମଧ୍ୟ ଅଂଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାର ବ୍ୟାପ୍ତି ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୨ ନଭେମ୍ବର ପାଖାପାଖି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ, ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗରର ମଧ୍ୟ ଭାଗରେ ଗୋଟିଏ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ତେବେ ଏହା ବାତ୍ଯା ରୂପ ନେବ କି ନାହିଁ ସେନେଇ କୌଣସି ସଠିକ୍ ତଥ୍ଯ କିଛି ମିଳିନାହିଁ।
ଆହୁରି ମଧ୍ଯ ଲଘୁଚାପ ପ୍ରଭାବ କେତେ ରହିବ, କେଉଁଠି ଅଧିକ ପ୍ରଭାବ ପଡ଼ିବ ଓ ଏହା ବାତ୍ୟାର ରୂପ ନେବା ନା ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନାହିଁ । ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ଶୀତ ସାମାନ୍ୟ କମିଛି। ରାତିର ତାପମାତ୍ରାରେ ୨-୩ ଡିଗ୍ରୀ ବଢିଛି।