ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହି ବସ୍ତି ଉଚ୍ଛେଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବାରମ୍ବାର ସର୍ଭେ କରାଯାଇ ଉଚ୍ଛେଦ ପାଇଁ ପୂର୍ବରୁ ନୋଟିସ୍ ଦିଆଯାଇଛି । କେବଳ କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ମୁଣ୍ଡ ଭର୍ତ୍ତି କରି ବିବାଦ ସୃଷ୍ଟି କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ବାରମ୍ବାର ସର୍ଭେ କରାଯାଇ ପୂର୍ବରୁ ନୋଟିସ୍ ଦିଆଯାଇଛି । ଥଇଥାନ ପାଇଁ କୌଣସି ଟ୍ରାଞ୍ଜିଟ୍ ହୋମରେ ଲୋକଙ୍କୁ ରଖାଯାଉ ନାହିଁ । ବସ୍ତିରେ ଯେଉଁମାନଙ୍କର ଜମି ରହିଛି, ସେମାନଙ୍କୁ ଘର ଦେବାର ପ୍ରକ୍ରିୟା କରାଯାଇଛି । ସେହିପରି ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହାୟତା ପାଇଁ ସରକାରୀ ସହଭାଗିତାରେ ବ୍ୟବସ୍ଥା ହୋଇଛି । କୌଣସି ଜୋର୍ ଜବରଦସ୍ତ ଉଚ୍ଛେଦ କରାଯାଉନାହିଁ ।
ଜନତାଙ୍କ ସ୍ୱାର୍ଥ ପାଇଁ ଉକ୍ତ ରାସ୍ତା ଉପରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତା ନିର୍ମାଣ ନିର୍ଭର କରୁଛି । ତେଣୁକରି ସେହି ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦ ଜରୁରୀ । କାରଣ ସେହି ରାସ୍ତାରେ ଉଚ୍ଛେଦ ନ ହେଲେ ଜୟଦେବ ବିହାରରୁ କାମ ଆରମ୍ଭ ହୋଇପାରିବ ନାହିଁ । ତେଣୁ ମାସେ ଭିତରେ ଏହି କାମ ଶେଷ ହେବା ଜରୁରୀ । ଏଥିପାଇଁ ଗତ ୬ ମାସ ହେବ ପ୍ରକ୍ରିୟା ଚାଲିଛି । ବିଏମସି ତରଫରୁ ନୋଟିସ୍ ଦେବା ସହିତ ଆଲୋଚନା କରାଯିବା ପରେ ସେମାନେ ସମ୍ମତି ଦେବା ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ କିଛି ଲୋକ ଜାଣିଶୁଣି ବିବାଦ ସୃଷ୍ଟି କରୁଛନ୍ତି ।
ତେଣୁ ଏଭଳି ଗଣ୍ଡଗୋଳ ନ କରି ସହଯୋଗ କରିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି । ଯେଉଁମାନେ ଉଚ୍ଛେଦ ହେବେ ସେମାନଙ୍କୁ ଶସ୍ତାରେ ଘର ଦେବାକୁ ନଗର ଉନ୍ନୟନ ବିଭାଗ କାମ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।