ଭୁବନେଶ୍ୱର: ତାମିଲନାଡୁର କୋଏମ୍ବାଟୁର୍ରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ୨୧ତମ କିସ୍ତିରେ ଦେଶର ୯ କୋଟିରୁ ଉର୍ଦ୍ଧ୍ବ କୃଷକଙ୍କୁ ୧୮ ହଜାର କୋଟିରୁ ଉର୍ଦ୍ଧ୍ବଟଙ୍କା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଓଡିଶାର ୩୪ ଲକ୍ଷ ୧୨ ହଜାର ଚାଷୀ ରହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
ଆଜି ପିଏମ୍ କିଷାନ ସମ୍ମାନ ନିଧିର କାର୍ଯ୍ୟକ୍ରମ ସବୁ ରାଜ୍ୟର ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର କୃଷକମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ଓଡ଼ିଶାର କୃଷି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମ ରାଜ୍ୟରେ କୃଷକଙ୍କ ସଶକ୍ତିକରଣ ଓ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମୁଁ ଚାହେଁ ଯେ କୃଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାର ସୁବିଧା ସୁଯୋଗ ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀ ନିଶ୍ଚିତରୂପେ ପାଆନ୍ତୁ। କେହି ଜଣେ ବି ଯେପରି ଏଥିରୁ ବଞ୍ଚିତ ନହୁଅନ୍ତୁ "।
ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ କୃଷକ ମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି କୃଷକ ମାନଙ୍କୁ ଆବଶ୍ୟକ ସମୟରେ ବିହନ, ସାର, କୀଟନାଶକ ଆଦି କିଣିବା ପାଇଁ କେନ୍ଦ୍ର ସରକାର ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଆଜି ୨୧ତମ କିସ୍ତିରେ ଆମ ରାଜ୍ୟର ୩୪.୧୨ ଲକ୍ଷରୁ ଉର୍ଦ୍ଧ୍ବ କୃଷକ କିସ୍ତି ବାବଦକୁ ୨ ହଜାର ଟଙ୍କା ଲେଖାଏଁ ପାଇବେ। ଏହି ସହାୟତା ପ୍ରଦାନ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ କରାଯାଉଛି ଏବଂ ଏଥିରେ କ୍ଷୁଦ୍ର, ମଧ୍ୟମ, ବୃହତ୍ତ ଓ ସହରାଞ୍ଚଳର ଭୂମିଧାରୀ ଚାଷୀମାନେ ଉପକୃତ ହେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କର ଯୁଗାନ୍ତକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଦେଶର ଚାଷୀ, ଗରିବ, ମହିଳା ସମସ୍ତେ ଉପକୃତ ହେଉଛନ୍ତି।
ସେହିପରି ୨୦୩୬ରେ ବିକଶିତ ଓଡ଼ିଶା ଗଠନ ପାଇଁ ଚାଷୀଙ୍କ ଆୟ ଅଧିକ ଲାଗି ମିଶ୍ରିତ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ଧାନ ଚାଷ ନୁହେଁ, ବରଂ ଡାଲି ଓ ତୈଳ ଜାତୀୟ ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ କହିଥିଲେ, ପିଏମ କିଷାନ ଓ ସିଏମ୍ କିଷାନ ଯୋଜନାରେ ଆମ ରାଜ୍ୟର ଚାଷୀ ଭାଇ ଭଉଣୀ ମାନେ ବାର୍ଷିକ ୧୦ ହଜାର ଟଙ୍କା ପାଉଛନ୍ତି। ଏହି ରାଶିକୁ ସଠିକ୍ ଭାବେ ଉପଯୋଗ କଲେ କୃଷି କାର୍ଯ୍ୟରେ ସଫଳତା ମିଳି ଅଭାବ ଦୂର ହେବ।
ଅଧିକ ପଢନ୍ତୁ: ପିଏମ୍ କିଷାନର ୨୧ତମ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ; ୯ କୋଟି ଚାଷୀଙ୍କ ଖାତାକୁ ଗଲା ୧୮ ହଜାର କୋଟିର ସହାୟତା