ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରଠାରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀର ଦ୍ୱିତୀୟ ଦିବସରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।
ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ ରାଜ୍ୟ ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଛନ୍ତି । ଆଇନ ମନ୍ତ୍ରୀ ହରିଚନ୍ଦନ କହିଛନ୍ତି ଯେ ଜାତୀୟ ହାରକୁ ଦୃଷ୍ଟିରେ ରଖି ଆମର ସହରୀକରଣକୁ ଆଗକୁ ନେବାର ଅଛି । ସହରର ଉନ୍ନତି ରାଜ୍ୟ ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ । ସହରକୁ ବିକାଶର ଇଂଜିନ୍ କରିବାକୁ ପଡ଼ିବ । ଜିଲ୍ଲାର ଆର୍ଥିକ ବିକାଶରେ ସହରୀକରଣର ପ୍ରମୁଖ ଭୂମିକା ରହିଛି । ତେଣୁ ଆଗାମୀ ୫୦ବର୍ଷରୁ ଊର୍ଦ୍ଧ୍ୱକୁ ଦୃଷ୍ଟିରେ ରଖି ସହରର ଯୋଜନାବଦ୍ଧ ନକ୍ସା ପ୍ରସ୍ତୁତି କରିବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଗାମୀ ଦିନରେ ବଡ ବଡ ରାସ୍ତା ନିର୍ମାଣ ବେଳେ ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣରେ ବ୍ୟବହାର କରିବା ସଂପର୍କରେ ଯୋଜନା କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ । ରାସ୍ତା ନିର୍ମାଣ ସହିତ ସଙ୍ଗେ ସଙ୍ଗେ ତଦନୁସାରେ ଡ୍ରେନେଜ୍ ବ୍ୟବସ୍ଥା, ବିଦ୍ୟୁତ, ଟେଲିଫୋନ୍, ଗ୍ୟାସ ପାଇପଲାଇନ୍ , ପାନୀୟ ଜଳ ସୁବିଧା ପାଇଁ ସ୍ୱତନ୍ତ୍ର ୟୁଟିଲିଟି କରିଡର ନିର୍ମାଣ କରାଯିବ । ସହରର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସରଳୀକରଣ କରାଯିବ, ଯଦ୍ୱାରା ନୂଆ ରାସ୍ତା ନିର୍ମାଣ ଓ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପ ସହଜରେ ହୋଇପାରିବ । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ପହଁଚିବା ପାଇଁ ବ୍ୟାପକ ସହରୀକରଣର ସଫଳତାର ଆବଶ୍ୟକତା ସଂପର୍କରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ସେହିପରି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ବସ୍ତିମୁକ୍ତ ସହରୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ବସ୍ତିବାସିନ୍ଦାଙ୍କ ସମସ୍ୟା ସମାଧାନ ସରକାରଙ୍କ ପ୍ରାଥମିକତା ରହିଛି । ସେମାନଙ୍କୁ ବସ୍ତି ଭଳି ଅସ୍ୱାସ୍ଥ୍ୟକର ପରିବେଶରୁ ବାହାରକୁ ଆଣି ବ୍ୟବସ୍ଥିତ ଢଙ୍ଗରେ ସୁଲଭ ଆବାସ ଯୋଗାଇ ଦେବା ପାଇଁ ଯୋଜନାଭିତ୍ତିକ ବ୍ୟବସ୍ଥା କରାଯାଉଛି । ବଢୁଥିବା ସହରୀକରଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହର ସଂଲଗ୍ନ ଅଧିକରୁ ଅଧିକ ଅଂଚଳକୁ ଟାଉନ୍ ପ୍ଲାନିଂ (ଟିପି) ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି । ସବୁ ମହାନଗର ନିଗମ, ମ୍ୟୁନିସିପାଲିଟି, ପୌରାଂଚଳରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ମନ୍ତ୍ରୀ ଡଃ. ମହାପାତ୍ର ପ୍ରକାଶ କରିଛନ୍ତି । ସହରରେ ବିଭିନ୍ନ ଅନୁପ୍ରବେଶକାରୀଙ୍କ ଯୋଗୁଁ ଚୋରା ମାଦକ ଦ୍ରବ୍ୟ ଓ ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାରକୁ ରୋକିବା ପାଇଁ ନିୟମିତ ଭାବେ ବସ୍ତିଗୁଡିକୁ ଯାଂଚ କରିବାକୁ ଜିଲ୍ଲାପାଳମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ସମଗ୍ର ରାଜ୍ୟର ସହରାଂଚଳର ଯୋଜନାବଦ୍ଧ ବିକାଶ ପାଇଁ ରହୁଥିବା ଆହ୍ୱାନ ଓ ଏହାର ସମାଧାନ ପାଇଁ ଏକ ବିସ୍ତୃତ ଉପସ୍ଥାପନ କରିଥିଲେ । ସେ ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଅର୍ଥନୈତିକ ଅଂଚଳର ବିକାଶ ସହିତ ସମ୍ବଲପୁର, ଝାରସୁଗୁଡା , ଗୋପାଳପୁର ଆଦି ବିଭିନ୍ନ ସହରର ବିକାଶ ପାଇଁ ସମନ୍ୱିତ ଯୋଜନା ଉପରେ ଆଲୋକପାତ କରିଥିଲେ । ସହର ରୂପାନ୍ତରଣରେ ସବୁଜିମା ବଜାୟ ରଖିବା, ସହର ସଂଲଗ୍ନ ଗ୍ରାମ ଗୁଡିକର ବିକାଶ, ସଫେଇ କର୍ମଚାରୀମାନଙ୍କର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି ।