ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ଐତିହ୍ୟ ସପ୍ତାହ। ୧୯ ନଭେମ୍ବରରୁ ଆରମ୍ଭ ହୋଇଥିବା ଏହି ସପ୍ତାହ ନଭେମ୍ବର ୨୫ ଯାଏ ଚାଲିବ। ଏହି ଅବସରରେ ବୁଧବାର କୋଣାର୍କ ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକଙ୍କ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛିI ଏଏସଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛିI
ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ପ୍ରବେଶ ଶୁଳ୍କ ଛାଡ଼ ହୋଇଥିବା କୋଣାର୍କ ସଂରକ୍ଷଣ ଅଧିକାରୀ ତ୍ରୈଲୋକ୍ୟ ନାଥ ବେହେରା ପ୍ରକାଶ କରିଛନ୍ତି। ଦିଲ୍ଲୀ ଠାରେ ଆତଙ୍କବାଦୀମାନଙ୍କ ବଡ଼ ଧରଣର କାର ବିସ୍ପୋରଣ ଘଟଣାକୁ ନଜରରେ ରଖି ମଙ୍ଗଳବାର ଅପରାହ୍ନରେ ପୁରୀ ଏସପି ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶବିଦେଶର ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରେ ରଖି ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବା ସହ ଟିକିନିଖି ବୁଲିଦେଖି ତଦାରଖ କରିଥିଲେ। ପ୍ରତେକ ଦିନ ସୂର୍ଯ୍ୟ ମନ୍ଦିର ବୁଲିବା ପାଇଁ ଦେଶବିଦେଶର ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସୁର୍ଯ୍ୟମନ୍ଦିର ଚାରିପାଖେ ଯାଞ୍ଚ କରାଯାଇଛି।
ସେହିପରି ଏହି ଐତିହ୍ୟ ସପ୍ତାହ ଅବସରରେ ଉତ୍ସବର ଅଂଶ ସ୍ୱରୂପ, ASI ୧୯ ନଭେମ୍ବରରୁ ୩ ଡିସେମ୍ବର ପର୍ଯ୍ୟନ୍ତ ଏକ ଜାତୀୟ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି। ଏଥିରେ ଭାରତରୁ ସମସ୍ତ ଐତିହ୍ୟ ଉତ୍ସାହୀଙ୍କୁ ଜାତୀୟ ଫଟୋଗ୍ରାଫି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଏବଂ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବାକୁ ଆମନ୍ତ୍ରଣ କରାଯାଇଛି।
ଅଧିକ ପଢନ୍ତୁ: ଚର୍ଚ୍ଚାରେ ଶିମିଳିପାଳରେ ବୁଲୁଥିବା କଳା ମହାବଳବାଘ ‘କାଳିଆ'