ନୂଆଦିଲ୍ଲୀ: ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଗୌହାଟୀରେ ଖେଳାଯିବ । ଏହି ମୁକାବିଲା ନଭେମ୍ବର ୨୨ରୁ ଖେଳାଯିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ବଡ ପ୍ରଶ୍ନ ଅଧିନାୟକ ଶୁଭମନ ଗିଲ୍ ଖେଳିବେ କି ନାହିଁ । କାରଣ ଗିଲ୍ କୋଲକାତାରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ସମୟରେ ଆହତ ହୋଇଥିଲେ । ତାଙ୍କର ବେକରେ ଆଘାତ ଲାଗିଥିଲା । ତେଣୁ ସେ ପ୍ରଥମ ଇନିଂସ ବ୍ୟାଟିଂ ବେଳେ ରିଟାୟର୍ଡ ହଟ୍ ହୋଇଥିଲେ ଏବଂ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ନ ଥିଲେ । ଏହା ମଧ୍ୟରେ ବୁଧବାର ଗିଲଙ୍କ ମେଡିକାଲ୍ ଅପଡେଟ୍ ଜାରି କରିଛି ବିସିସିଆଇ।
ତେବେ ବିସିସିଆଇ ମଧ୍ୟ ଗିଲଙ୍କ ମେଡିକାଲ୍ ଅପଡେଟରେ ସ୍ଥିତି ସ୍ପଷ୍ଟ କରି ନାହିଁ । ବିସିସିଆଇ କେବଳ ନିଜର ପୂର୍ବ ବୟାନ ଦୋହରାଇ କହିଛ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୟ ଦିନରେ ଗିଲଙ୍କ ବେକରେ ଆଘାତ ଲାଗିଥିଲା । ଦ୍ୱିତୀୟ ଦିନ ଖେଳ ସରିବା ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ଡାକ୍ତରୀ ନିରୀକ୍ଷଣରେ ରହିବା ପରେ ପରବର୍ତ୍ତୀ ଦିନ ଡିସଚାର୍ଜ କରାଯାଇଥିଲା । ଶୁଭମନଙ୍କୁ କରାଯାଉଥିବା ଚିକିତ୍ସାରେ ସରକାରତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ସେ ନଭେମ୍ବର ୧୯ରେ ଭାରତୀୟ ଦଳ ସହ ଗୌହାଟୀ ଯିବେ । ବୋର୍ଡ କହିଛି ଯେ, ବିସିସିଆଇର ମେଡିକାଲ ଟିମ୍ ତାଙ୍କ ଉପରେ ନଜର ରଖିଛି ଏବଂ ଦ୍ୱିତୀୟ ଟେଷ୍ଟ ଖେଳିବେ କି ନାହିଁ ତାହା ତାଙ୍କର ଫିଟନେସ୍ ଦେଖି ନିଷ୍ପତ୍ତି ନିଆଯିବ ।
ଭାରତୀୟ ଦଳ ନଭେମ୍ବର ୨୨ରୁ ଗୌହାଟୀର ବରସାପରା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଖେଳିବ । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୦-୧ରେ ପଛରେ ରହିଛି । କୋଲକାତା ଟେଷ୍ଟରେ ଭାରତ ୩୦ ରନରେ ହାରିଥିଲା । ୧୨୪ ରନର ବିଜୟ ଲକ୍ଷ୍ୟ ପିଛା କରି ଭାରତ ୨ୟ ଇନିଂସରେ ୯୩ ରନରେ ଅଲଆଉଟ୍ ହୋଇଥିଲା ।
Also read: ଫେଲ୍ ମାରିଲେ ସୂର୍ଯ୍ୟବଂଶୀ, ଏସିଆ କପ୍ ଫାଇନାଲରେ ଭାରତକୁ ପହଞ୍ଚାଇଲେ ଦୁବେ