ନୂଆଦିଲ୍ଲୀ: ଭାରତ ଓମାନକୁ ୬ୱିକେଟରେ ପରାସ୍ତ କରି ଏସିଆ କପ୍ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ପାକିସ୍ତାନ ପରେ ଭାରତ ଗ୍ରୁପ୍ ବିରୁ ସେମିଫାଇନାଲରେ ପ୍ରବେଶ କରିବାରେ ଦ୍ୱିତୀୟ ଦଳ ହୋଇଛି। ଉଭୟ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ମ୍ୟାଚ୍ ଥିଲା। ଓମାନ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍ ହରାଇ ୧୩୫ ରନ କରିଥିଲା। ବୈଭବ ସୂର୍ଯ୍ୟବଂଶୀ ବିଫଳ ହୋଇଥିଲେ ହେଁ ହର୍ଷ ଦୁବେଙ୍କ ଅପରାଜିତ ୫୩ ରନର ଅର୍ଦ୍ଧଶତକ ବଳରେ ଭାରତ ସେମିଫାଇନାଲରେ ପ୍ରବେଶ କରି ସାରିଛି।
ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓମାନ ପାଇଁ ୱାସିମ ଅଲି ଅପରାଜିତ ୫୪ ରନ କରିଥିଲେ। ହମ୍ମାଦ ମିର୍ଜା ମଧ୍ୟ ୩୨ ରନର ଉପଯୋଗୀ ରନ କରିଥିଲେ। ଅନ୍ୟ ଓମାନ ବ୍ୟାଟର ବିଫଳ ହୋଇଥିଲେ। ଭାରତୀୟ ବୋଲର ଶେଷ ୪୫ ବଲରେ ଓମାନ ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ। ଫଳରେ ପ୍ରତିପକ୍ଷ ଦଳ ସେହି ବଲରୁ ମାତ୍ର ୪୨ ରନ କରି ପାଞ୍ଚଟି ୱିକେଟ ହରାଇଥିଲା। ଫଳରେ ଓମାନ ୭ ଓ୍ଵିକେଟ୍ ହରାଇ ୧୩୫ ରନ କରିଥିଲା।
ଭାରତୀୟ ଓପନର ବୈଭବ ସୂର୍ଯ୍ୟବଂଶୀ ଏହି ମ୍ୟାଚରେ ବିଫଳ ହୋଇଥିଲେ। ସେ ମାତ୍ର ୧୨ ରନ କରିଥିଲେ। ତାଙ୍କ ଓପନିଂ ସାଥୀ ପ୍ରିୟାଂଶ ଆର୍ଯ୍ୟ ମଧ୍ୟ ୧୦ ରନ କରି ଆଉଟ୍ ହୋଇଥିଲେ। ନମନ ଧୀର ଦମଦାର ବ୍ୟାଟିଂ କରିଥିଲେ ହେଁ ୩୦ ରନ କରି ଆଉଟ୍ ହୋଇଥିଲେ। କିନ୍ତୁ ହର୍ଷ ଦୁବେ ପୂରା ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ସେ ଅପରାଜିତ ୫୩ ରନ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ।
ଅନ୍ୟପଟେ ଦୁବେଙ୍କୁ ଉପଯୁକ୍ତ ସହଯୋଗ ଦେଇଥିଲେ ନେହଲ ୱାଧେରା। ସେ ୨୩ ରନର ପ୍ରଶଂସନୀୟ ଇନିଂସ ଖେଳିଥିଲେ। ହର୍ଷ ଦୁବେଙ୍କ ୫୩ ରନ ଇନିଂସରେ ସାତଟି ଚୌକା ଏବଂ ଗୋଟିଏ ଛକା ସାମିଲ। ଅଧିନାୟକ ଜିତେଶ ଶର୍ମା ଚୌକା ମାରି ଭାରତୀୟ ଦଳ ପାଇଁ ବିଜୟୀ ସଟ୍ ମାରିଥିଲେ। ପୂର୍ବରୁ, ସୁୟାଶ ଶର୍ମା ଓମାନର ସ୍କୋରରେ ବ୍ରେକ୍ ଲଗାଇଥିଲେ। ସେ ଚାରି ଓଭରରେ ମାତ୍ର 12 ରନ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ଗୁରଜପନୀତ ସିଂହ ମଧ୍ୟ ଦୁଇଟି ୱିକେଟ୍ ନେଇଥିଲେ।
Also read: ଯଦି ଶୁଭମନ ୨ୟ ଟେଷ୍ଟ ନ ଖେଳନ୍ତି ତେବେ କିଏ ଖେଳିବ ତାଙ୍କ ସ୍ଥାନରେ ? ୩ ଖେଳାଳି ଦାବିଦାର