ଟିଟିଲାଗଡ଼: ଆଉ ଶୁଭିବନି ହ୍ୟୁମାନ ସାଗରଙ୍କ ସୁମଧୁର କଣ୍ଠସ୍ୱର । ଦୁନିଆରୁ ବିଦାୟ ନେଇଥିବା ହ୍ୟୁମାନଙ୍କ ପାର୍ଥିବ ଶରୀର କଫିନ ଭିତରେ ରହିଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ସ୍ଥିତ ପୈତୃକ ଗ୍ରାମ ଡେଙ୍ଗରେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ହ୍ୟୁମାନଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।
ଗତକାଲି ହ୍ୟୁମାନ୍ ସାଗର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ରାତି ୯ଟା ୮ ମିନିଟର୍ ପରଲୋକ ଘଟିଥିଲା । ପ୍ରଥମେ କଟକସ୍ଥିତ ତାଙ୍କ ବାସଭବନକୁ ତାଙ୍କ ମରଶରୀରକୁ ନିଆଯାଇଥିଲା । ଏହା ପରେ ବିଳମ୍ବିତ ରାତି ପ୍ରାୟ ୩ଟାବେଳେ ଟିଟିଲାଗଡ଼କୁ ଅଭିମୁଖେ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା । ବିରାଟ ବାଇକ ଶୋଭାଯାତ୍ରାରେ ଡେଙ୍ଗ ଗ୍ରାମରେ ହ୍ୟୁମାନଙ୍କ ପାର୍ଥିବ ଶରୀର ପହଁଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ସମ୍ପୂର୍ଣ୍ଣ ପରିବେଶ । କାହା ପାଟିରୁ ଶବ୍ଦ ବାହାରୁ ନ ଥିଲା ତ ଆଉ କିଏ ହୀରା ହରାଇଲେ ବୋଲି କହୁଥାଆନ୍ତି । ପ୍ରିୟ ପରିଜନ ମୁଣ୍ଡ ପିଟି ପିଟି କାନ୍ଦୁଥିଲେ, ଆଉ କହୁଥିଲେ ଧନରେ ତୁ ଫେରିଆ । ସେପଟେ ନିଜ ପ୍ରିୟ ଗାୟକଙ୍କ ଶେଷ ଦର୍ଶନ କରିବାକୁ ଶହ ଶହ ସଂଖ୍ୟାରେ ସମର୍ଥକଙ୍କ ଭିଡ଼ ଜମିଥିଲା । ଯାହାର ଗୀତରେ ମତୁଆଲା ହେଉଥିଲେ, ଯାହାକୁ ଷ୍ଟେଜରେ ଦେଖିବାକୁ ପାଗଳ ହୋଇଯାଉଥିଲେ ତାଙ୍କୁ ଶେଷ ଥର ଦେଖିବାକୁ ଆହୁରି ବ୍ୟଗ୍ର ହୋଇପଡ଼ୁଥିଲେ । ଏହା ପରେ ସିଏନଆଇ ଚର୍ଚ୍ଚକୁ ହ୍ୟୁମାନଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା । ସେଠାରେ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ବାପା ଏବଂ ଭାଇଙ୍କ ସମାଧି ନିକଟରେ ହ୍ୟୁମାନଙ୍କୁ ସମାଧି ଦିଆଯାଇଥିଲା ।
ଗତ କିଛିଦିନ ହେବ ହ୍ୟୁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା । ସେ ମୁଖ୍ୟତଃ ଲିଭର୍ ଓ କିଡନୀ ଜନିତ ଗୁରୁତର ରୋଗରେ ପୀଡ଼ିତ ହେବା ସହିତ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ ଆଦିରେ ପୀଡ଼ିତ ଥିଲେ । ପ୍ରଥମେ ତାଙ୍କୁ କଟକସ୍ଥିତ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ହେବା ପରେ ନଭେମ୍ବର ୧୪ରେ ଅପରାହ୍ନ ୧ଟା ସମୟରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ଥିଲେ । ଡାକ୍ତରୀ ଟିମ୍ ତାଙ୍କୁ ୭୨ ଘଣ୍ଟାର ସମୟ ଦେଇଥିଲେ । କିନ୍ତୁ ଏହି ୭୨ ଘଣ୍ଟା ପୂରଣ ହେବା ପରେ ହ୍ୟୁମାନ୍ ଦୁନିଆରୁ ବିଦାୟ ନେଇଥିଲେ ।