ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଲ୍ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଜାଭେଦ ଅହମ୍ମଦ ସିଦ୍ଦିକୀଙ୍କୁ ଗିରଫ କରିଛି। ଜାଭେଦ ଅହମ୍ମଦ ସିଦ୍ଦିକିଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଆଲ୍ ଫଲାହ ଗ୍ରୁପର ଅଧ୍ୟକ୍ଷ ଜାଭେଦ ଅହମ୍ମଦ ସିଦ୍ଦିକିଙ୍କୁ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ), ୨୦୦୨ର ଧାରା ୧୯ ଅନୁଯାୟୀ ଗିରଫ କରିଛି।
ଗିରଫ ପରେ, ଜାଭେଦ ସିଦ୍ଦିକିଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହା ପରେ ତାଙ୍କୁ ସାକେତ କୋର୍ଟରେ ହାଜର କରାଯାଇଥିଲା। ଅଲ୍ ଫଲାହ ଗ୍ରୁପ୍ ସହିତ ଜଡିତ ପରିସରରେ ଚଢାଉ ସମୟରେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ପ୍ରମାଣ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।
ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ଦାୟର ଦୁଇଟି ଏଫଆଇଆର୍ ଆଧାରରେ ଇଡି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଅନୁଯାୟୀ, ଫରିଦାବାଦର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ ମିଥ୍ୟା ଭାବରେ NAAC ମାନ୍ୟତା ମିଳିଥିବା ପ୍ରଚାର କରିଛି।
ୟୁଜିସିର ଧାରା ୧୨(ବି) ଅନୁଯାୟୀ ମାନ୍ୟତା ବିଷୟରେ ମିଥ୍ୟା ସୂଚନା ପ୍ରଦାନ କରାଯାଇଥିଲା। ୟୁଜିସି ସ୍ପଷ୍ଟ କରିଛି ଯେ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ କେବଳ ଧାରା ୨(ଏଫ) ଅନୁଯାୟୀ ଏକ ରାଜ୍ୟ ଘରୋଇ ବିଶ୍ୱବିଦ୍ୟାଳୟ ଭାବରେ ତାଲିକାଭୁକ୍ତ। ଏହା କେବେ ଧାରା ୧୨(ବି) ଅନୁଯାୟୀ ମାନ୍ୟତା ପାଇଁ ଆବେଦନ କରିନାହିଁ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଦିଲ୍ଲୀର ୧୯ଟି ସ୍ଥାନରେ ଚଢାଉ କରିଥିଲା, ଯେଉଁଥିରେ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ ଏବଂ ଟ୍ରଷ୍ଟ ସହିତ ଜଡିତ ପ୍ରମୁଖ ବ୍ୟକ୍ତିଙ୍କ ଘର ମଧ୍ୟ ସାମିଲ୍। ଚଢଉ ସମୟରେ ନଗଦ ଟଙ୍କା ଜବତ କରାଯାଇଛି। ଏଥିରେ ୪୮ ଲକ୍ଷ ଟଙ୍କା ଅଧିକ ନଗଦ, ଅନେକ ଡିଜିଟାଲ୍ ଡିଭାଇସ୍, ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଏବଂ ଅନେକ ସେଲ୍ କମ୍ପାନୀର ପ୍ରମାଣ ସାମିଲ ।
କାହିଁକି ହେଲା ଏହି କାର୍ଯ୍ୟାନୁଷ୍ଠାନ ?
ଅଲ୍ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ଗିରଫଦାରୀ ସମ୍ପର୍କରେ, ଇଡି କହିଛି ଯେ ଜାଭେଦ ଅହମ୍ମଦ ସିଦ୍ଦିକି ପ୍ରକୃତରେ ଟ୍ରଷ୍ଟ ଏବଂ ଏହାର ଆର୍ଥିକ କାବବାର ନିୟନ୍ତ୍ରଣ କରନ୍ତି। ମିଳିଥିବା ପ୍ରମାଣରୁ ଜଣା ପଡ଼ୁଛି ଯେ ସେ ବିଭିନ୍ନ ଉପାୟରେ ଅପରାଧିକ ଆୟକୁ ଲୁଚାଇଥିଲେ ଏବଂ ଅନ୍ୟତ୍ର ଟ୍ରାନ୍ସଫର କରୁଥିଲେ। ଏହି ପ୍ରମାଣକୁ ଆଧାର କରି, ଆଇନଗତ ପ୍ରକ୍ରିୟା ପୂରା ହେବା ପରେ ତାଙ୍କୁ ଗିରଫ କରାଯାଇଛି।
ଏହି ଟ୍ରଷ୍ଟ କିପରି କାମ କରେ ?
ଲ୍-ଫଲାହ ଚାରିଟେବଲ୍ ଟ୍ରଷ୍ଟ ସେପ୍ଟେମ୍ବର ୮, ୧୯୯୫ ରେ ପ୍ରତିଷ୍ଠିତ ହୋଇଥିଲା। ଜାଭେଦ ଅହମ୍ମଦ ସିଦ୍ଦିକି ଏହାର ପ୍ରତିଷ୍ଠା ଦିନରୁ ଟ୍ରଷ୍ଟର ଟ୍ରଷ୍ଟି ରହି ଆସିଛନ୍ତି। ସମଗ୍ର ଗୋଷ୍ଠୀକୁ ପ୍ରଭାବଶାଳୀ ଭାବରେ ସେ ନିୟନ୍ତ୍ରଣ କରନ୍ତି। ବିଶ୍ୱବିଦ୍ୟାଳୟ ଏବଂ ଏହାର ସମସ୍ତ ସଂଲଗ୍ନ କଲେଜଗୁଡ଼ିକ ଏହି ଟ୍ରଷ୍ଟ ଦ୍ୱାରା ପରିଚାଳିତ ହୁଏ। ଟ୍ରଷ୍ଟ ଏବଂ ଗୋଷ୍ଠୀ ୧୯୯୦ ଦଶକରୁ ଦ୍ରୁତ ଗତିରେ ବିସ୍ତାରିତ କରି ଚାଲିଥିଲା।
Also read: ୨୦ରେ ଶପଥ ନେବେ ନୀତୀଶ, ଯୋଗଦେବେ ପ୍ରଧାନମନ୍ତ୍ରୀ, ମୋହନ ମାଝୀ ହେବେ ସାମିଲ