ନୂଆଦିଲ୍ଲୀ: ଆଇସିସି ଦିନିକିଆ ମାନ୍ୟତାରେ ଘଟିଛି ବଡ ପରିବର୍ତ୍ତନ । ବୁଧବାର ଆଇସିସି ଦ୍ୱାରା ଜାରି ସଦ୍ୟତମ ମାନ୍ୟତାରେ ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା ନିଜର ଶୀର୍ଷ ସ୍ଥାନ ହରାଇଛନ୍ତି । ନ୍ୟୁଜିଲାଣ୍ଡର ଡାରିଲ ମିଚେଲ୍ ଶୀର୍ଷକୁ ଉଠିଛନ୍ତି । କିନ୍ତୁ ରୋହିତ ଓ ଡାରିଲଙ୍କ ମଧ୍ୟରେ ବିଶେଷ ବଡ ବ୍ୟବଧାନ ନାହିଁ ।
ନ୍ୟୁଜିଲାଣ୍ଡର ତାରକା ବ୍ୟାଟର ଡାରିଲ ମିଚେଲ୍ ଏବେ ଦିନିକିଆ ମାନ୍ୟତାରେ ନୂଆ ଏକ ନମ୍ବର ବ୍ୟାଟର ହୋଇଛନ୍ତି । ଦୁଇଟି ସ୍ଥାନ ଉପରକୁ ଉଠି ଶୀର୍ଷରେ ପହଞ୍ଚିଛନ୍ତି । ଡାରିଲ ଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିଲେ । ଏହି ପ୍ରଦର୍ଶନ ବଳରେ ସେ ଟପରେ ପହଞ୍ଚିଛନ୍ତି । ତାଙ୍କର ରେଟିଂ ପଏଣ୍ଟ ହେଉଛି ୭୮୨ । ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବା ରୋହିତ ଶର୍ମାଙ୍କ ରେଟିଂ ପଏଣ୍ଟ ୭୮୧ ରହିଛି । ଅର୍ଥାତ ଡାରିଲ ମାତ୍ର ଗୋଟିଏ ପଏଣ୍ଟ ଉପରେ ଅଛନ୍ତି । ଆଫଗାନିସ୍ତାନର ଇବ୍ରାହିମ ଜାରଦାନ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି । ସେ ୭୬୪ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସିଛନ୍ତି । ଶୁଭମନ ଗିଲ୍ ଚତୁର୍ଥ ଏବଂ କୋହଲି ପଞ୍ଚମରେ ଅଛନ୍ତି ।
ମାନ୍ୟତାରେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଗୋଟିଏ ସ୍ଥାନ ଫାଇଦା ମିଳିଛି । ସେ ୭୨୨ ରେଟିଂ ପଏଣ୍ଟ ସହ ୬ ନମ୍ବର ସ୍ଥାନକୁ ଉଠିଛନ୍ତି । ଆୟରଲାଣ୍ଡର ହ୍ୟାରି ଟାକ୍ଟର ୭୦୮ ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନକୁ ଉଠିଛନ୍ତି । ଭାରତର ଶ୍ରେୟସ ଆୟର ୭୦୦ ପଏଣ୍ଟ ସହ ଅଷ୍ଟମରେ ରହିଛନ୍ତି । ଶ୍ରୀଲଙ୍କାର ଚରିଥ ଅସଲଙ୍କା ୩ଟି ସ୍ଥାନ ତଳକୁ ଖସି ନବମରେ ରହିଛନ୍ତି । ସାଇ ହୋପ ଦଶମ ସ୍ଥାନରେ ଅଛନ୍ତି ।
Also read: ବିସିସିଆଇ ଜାରି କଲା ଶୁଭମନ ଗିଲଙ୍କ ମେଡିକାଲ୍ ଅପଡେଟ୍, କଣ ୨ୟ ଟେଷ୍ଟ ଖେଳି ପାରିବେ ଅଧିନାୟକ ?