ମୟୂରଭଞ୍ଜ : ଶିମିଳିପାଳରେ ବୁଲୁଛି କଳା ମହାବଳବାଘ 'କାଳିଆ'। ଯାହାର ଭିଡିଓକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହି କଳା ମହାବଳବାଘ କାଳିଆର ଭିଡିଓକୁ ନିଜ ଏକ୍ସରେ ପୋଷ୍ଟ କରିଛନ୍ତି ଶିମିଳିପାଳ ଅଭୟାରଣ୍ୟର ପୂର୍ବତନ ଅବସରପ୍ରାପ୍ତ ପିସିସିଏଫ ସୁଶାନ୍ତ ନନ୍ଦ। କଳା ରଙ୍ଗର ଏହି ବିଶାଳ ଅଣ୍ଡିରା ବାଘଟି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର କୌଣସି ଏକ ସ୍ଥାନରେ ବୁଲୁଥିବାର ଦେଖାଇବାକୁ ମିଳିଛି। ସୁଶାନ୍ତ ନନ୍ଦ ଏହି ମହାବଳ ବାଘକୁ ବ୍ଲାକ୍ ବିଉଟି ବା କଳା ସୁନ୍ଦରୀ ବୋଲି ଉଲ୍ଲେଖ କରିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ଏହି କାଳିଆ ର ମହତ୍ବ ବିଷୟରେ ମଧ୍ୟ ସମ୍ୟକ୍ ସୂଚନା ପ୍ରଦାନ କରିଛନ୍ତି। ସୁଶାନ୍ତ ନନ୍ଦଙ୍କ ମତରେ ଏହି କାଳିଆ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ମୁଖ୍ୟ ବୋଲି ଲେଖିଛନ୍ତି। ଯାହା ପାଇଁ ବାଘ ସଂଖ୍ଯା ୬ରୁ ୩୦ ହୋଇଛି।
ସେ କହିଛନ୍ତି ଏହି କଳା ବାଘଟି ଶିମିଳିପାଳରେ ବାଘ ସଂଖ୍ୟାକୁ କୂଳରୁ ଫେରାଇ ଆଣିବାରେ ମୁଖ୍ଯ ଭୂମିକା ରହିଛି । ଏପରିକି ବାଘ ସଂଖ୍ୟା ବୃଦ୍ଧି ଅଥବା ପୁନରାବୃତ୍ତିର ମାଇଲଖୁଣ୍ଟ ପାଲଟିଛି ଏହି କାଳିଆ ବାଘ । ଏଭଳି ସ୍ଥିତିରେ ସୁଶାନ୍ତ ନନ୍ଦଙ୍କ ଏପରି ପୋଷ୍ଟ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ମହାବଳ ବାଘ ସଂଖ୍ୟା ଏବଂ କଳା ମହାବଳ ବାଘଙ୍କ ବିଷୟରେ ପୁଣି ଚର୍ଚ୍ଚା ହୋଇଛି। ତେବେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏହି ବାଘ ସମ୍ପର୍କରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।