ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟମାନଙ୍କରେ ନିର୍ବାଚନ ଆୟୋଗଙ୍କ ପାଇଁ ଭୋଟର ତାଲିକା ପୁନଃ ନିରୀକ୍ଷଣ(ଏସଆଇଆର)ର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଏହାରି ଆଧାରରେ ଘର ଘର ଯାଇ ବୁଥସ୍ତରୀୟ ଅଧିକାରୀ ଭୋଟରଙ୍କ ସୂଚନା ସଂଗ୍ରହ କରୁଛନ୍ତି । ଏଥିରେ ପ୍ରଶ୍ନ କରାଯାଉଛି ଯେ, କଣ ଆପଣଙ୍କ ନାଁ ୨୦୦୩ ଭୋଟର ତାଲିକାରେ ଥିଲା । ଯଦି ନ ଥିଲା ତେବେ ଆପଣଙ୍କ କେଉଁ ସଦସ୍ୟଙ୍କ ନାଁ ତାଲିକାରେ ଥିଲା । ଏମିତି ପ୍ରଶ୍ନ କରାଯାଉଛି ଯାହା ସନ୍ଦିଗ୍ଧ ଲୋକେ ଦେଇ ପାରିବେ ନାହିଁ । ଏହି କାରଣରୁ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କ ମଧ୍ୟରେ ଏହାର ଭୟ ଦେଖିବାକୁ ମିଳିଛି । ଏମିତି ଶହ ଶହ ସଂଖ୍ୟାରେ ଲୋକ ପଶ୍ଚିମବଙ୍ଗ ଛାଡି ଦେଇଥିବା ବେଳେ ଆଉ କିଛି ସୀମା ପାର କରି ସାରିଛନ୍ତି । ଏହି ସୂଚନା ଦେଇଛନ୍ତି ଭାରତୀୟ ସୀମା ସୁରକ୍ଷା ବଳ(ବିଏସଏଫ)।
ସୋମବାର ଏହି ଲୋକେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସ୍ୱରୂପନଗର ନିକଟସ୍ଥ ହାକିମପୁର ଚେକ ପୋଷ୍ଟ ଦେଇ ଯାଉଥିଲେ । ବିଏସଏଫର ୧୪୩ ବାଟାଲିୟନ ଏହି ଲୋକଙ୍କ ଗତିବିଧି ଦେଖି ସନ୍ଦେହ ହେବାରୁ ଅଟକ ରଖି ପଚରା ଉଚୁରା କରିଥିଲେ । ବିଏସଏଫ ଯବାନ ଜାଣିବାକୁ ପାଇଲେ ଯେ, ଏମାନେ ସମସ୍ତେ ବାଂଲାଦେଶୀ ଅନୁପ୍ରବେଶକାରୀ । ଏସଆଇଆର ଭୟରେ ଏବେ ଭାରତ ଛାଡୁଛନ୍ତି । ଟାଇମ୍ସ ଅଫ ଇଣ୍ଡିଆ ଅନୁଯାୟୀ, ଚଳିତ ବର୍ଷ ସବୁଠୁ ବଡ ବାଂଲାଦେଶ ଅନୁପ୍ରବେଶକାରୀ ଭାରତ ଛାଡିଛନ୍ତି ।
ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବା ପରେ ବ୍ୟାପକ ସଂଖ୍ୟାରେ ବାାଂଲଦେଶୀଙ୍କୁ ଭାରତ ଛାଡୁଥିବା ଦେଖିବାକୁ ମିଳିଛି । ବିଏସଏଫ ଅଧିକାରୀଙ୍କ କହିବା କଥା ଏହି ୫୦୦ ଲୋକ ସ୍ୱୀକାର କରିଛନ୍ତି ଯେ, ସେମାନେ ଅବୈଧ ଭାବେ ଭାରତରେ ପଶି ଆସିଥିଲେ । ସେମାନଙ୍କ ପାଖରେ କୌଣସି ଭିସା, ପାସପୋର୍ଟ କିମ୍ବା ପରିଚୟ ପତ୍ର ନ ଥିଲା ।
ସେମାନଙ୍କ ମଧ୍ୟରୁ ଅନେକ ଜଣାଇଛନ୍ତି ଯେ, ସେମାନେ ପଶ୍ଚିମବଙ୍ଗର ବିରାତି, ମଧ୍ୟମଗ୍ରାମ, ରାଜରହାଟ, ନ୍ୟୁ ଟାଉନ ଓ ସଲ୍ଟ ଲେକ ପରି ଅଞ୍ଚଳରେ ଘରୋଇ ସହାୟକ, ଦିନ ମଜୁରିଆ ଏବଂ ନିର୍ମାଣ କାର୍ଯ୍ୟରେ କାମ କରୁଥିଲେ । ଏହି ସବୁ ଇଲାକାରେ ସେମାନେ ବର୍ଷ ବର୍ଷ ଧରି ରହି ଆସୁଥିଲେ । ଚଳିତ ମାସ ଆରମ୍ଭରେ ମଧ୍ୟ ପ୍ରାୟ ୧୦୦ ବାଂଲାଦେଶୀଙ୍କୁ ବିଏସଏଫ ଅଟକ ରଖିଥିଲେ । ଏହି ସବୁ ଲୋକେ ଏବେ ବାଂଲାଦେଶ ମୁହାଁ ହେବାରେ ଲାଗିଛନ୍ତି ।
Also read: ପୁଣି ଟଳିଲେ ୭ ନକ୍ସଲ, ଦୁଇ ଦିନରେ ୧୩ ମାଓବାଦୀ ସଫା