ମାଲକାନଗିରି: ମାଲକାନଗିରି ସୀମାନ୍ତକୁ ଲାଗି କରି ଥିବା ଆନ୍ଧ୍ର ପ୍ରଦେଶ ଆଲୁରି ସୀତାରାମରାଜୁ ଜିଲ୍ଲା ମାରେଡମଲ୍ଲୀ ଜଙ୍ଗଲରେ ଗତକାଲିଠାରୁ ଆରମ୍ଭ ହୋଇଥିବା ମାଓବିରୋଧୀ ଅଭିଯାନ ଜାରି ରହିଛି । ଆଜି ପୁଣି ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି । ସକାଳୁ ସକାଳୁ ହୋଇଥିବା ଏନକାଉଣ୍ଟରେ ୭ ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ମାଓବାଦୀ ମଧ୍ୟ ରହିଛନ୍ତି । ଏହାକୁ ମିଶାଇ ଦୁଇ ଦିନରେ ୧୩ ନକ୍ସଲ ନିହତ ହୋଇଛନ୍ତି । ଏ ନେଇ ଅତିରିକ୍ତ ପୋଲିସ ଡିଜି ମହେଶ ଚନ୍ଦ୍ର ଲଦ୍ଧା ସୂଚନା ପ୍ରଦାନ କରିଛନ୍ତି ।
ଛତିଶଗଡ଼ରେ ମାଓ ବିରୋଧୀ ଅଭିଯାନରେ ବ୍ୟାପକ ସଫଳତା ପରେ ଆନ୍ଧ୍ର ପ୍ରଦେଶ ପୋଲିସ ମଧ୍ୟ ସଜାଗ ହୋଇଯାଇଛି । ସେଠାରୁ ପଳାୟନ କରୁଥିବା ମାଓବାଦୀ ଆନ୍ଧ୍ର ପ୍ରଦେଶ ଶରଣ ନେବାକୁ ଚେଷ୍ଟା କରିଛନ୍ତି । ସେଥଇପାଇଁ ସୋମବାର ରାତିଠାରୁ ଆରମ୍ଭ ହୋଇଥିବା ମାଓ ବିରୋଧୀ ଅଭିଯାନ ଜୋରଦାର ହୋଇଛି । ବୁଧବାର ସକାଳୁ ଗ୍ରେହାଉଣ୍ଡ ଯବାନମାନେ ଏକ ବଡ଼ ଧରଣର ଏନକାଉଣ୍ଟର କରିଛନ୍ତି । ଏନକାଉଣ୍ଟରେ ୭ ଜଣ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ବୋମା ତିଆରି କରିବାରେ ପାରଙ୍ଗମ ଥିଲା । ସେ ହେଲା ଶ୍ରୀକାକୁଲମର ମେଟ୍ଟୁରୁ ଜୋଗାରାଓ ଓରଫ୍ ବାବୁ । ବୋମା ତିଆରିରେ ଅଭିଜ୍ଞ ଥିବାରୁ ଟେକ୍ ଶଙ୍କର ନାମରେ ମଧ୍ୟ ପରିଚିତ ଥିଲା । ଜୋଗାରାଓ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)ର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଥିଲା ।
ଗତକାଲି ସକାଳେ ମଧ୍ୟ ଗ୍ରେହାଉଣ୍ଡ ଯବାନମାନେ ବଡ଼ ଏନକାଉଣ୍ଟର କରିଥିଲେ । ଯେଉଁଥିରେ ଦୁର୍ଦ୍ଦାନ୍ତ ମାଓ ନେତା ହିଡମା ସହିତ ତାର ପତ୍ନୀ ମଡ଼କମ୍ ରାଜେ, ଦେବେ, ମଲ୍ଲା ଏବଂ କମଲୁ ସାମିଲ ଥିରେ । ହିଡମାର ମୁଣ୍ଡ ଉପରେ ୪ଟି ରାଜ୍ୟରେ ମୋଟ ଅଢ଼େଇ କୋଟିର ପୁରସ୍କାର ଘୋଷଣା ହୋଇଥିଲା । ତାର ପତ୍ନୀ ନାମରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ହୋଇଥିଲା ।