ଦାରିଙ୍ଗବାଡ଼ି: ସାମାନ୍ୟ ଚିପ୍ସ କାହା ମୃତ୍ୟୁର କାରଣ ହୋଇପାରେ ତାହା କେବେ ଚିନ୍ତା କରାଯାଇ ପାରେନା । ପିଲାଙ୍କୁ ବହୁତ ପସନ୍ଦ ଆସୁଥିବା ଚିପ୍ସ ସେମାନଙ୍କ ପାଇଁ ପ୍ରାଣ ନାଶକ ହେବ ତାହା ଅବିଶ୍ୱସନୀୟ । ଜଣେ ଶିଶୁ ଚିପ୍ସ ପ୍ୟାକେଟରୁ ଭୁଲରେ ପ୍ଲାଷ୍ଟିକ୍ ଖେଳନା ଖାଇବା ଦେବା ପରେ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ତାଜୁଙ୍ଗିଆ ପଞ୍ଚାୟତ ମୁସୁମାହା ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ମୃତ ଶିଶୁ ଜଣକ ହେଲା ଉକ୍ତ ଗ୍ରାମର ରଞ୍ଜିତ ପ୍ରଧାନଙ୍କ ପୁଅ ବିଗଲ ପ୍ରଧାନ, ଯାହାର ବୟସ ମାତ୍ର ୪ ବର୍ଷ ହେବ ବୋଲି ସୂଚନା ମିଳିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ପ୍ରତିଦିନ ଭଳି ରଞ୍ଜିତଙ୍କ ପୁଅ ବିଗଲ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲା । ସେଠାରେ ଅଙ୍ଗନବାଡ଼ି ପଢ଼ା ଶେଷ ହେବା ପରେ ରଞ୍ଜିତ ପୁଅକୁ ନେଇ ଘରକୁ ଫେରିଥିଲେ । ପରେ ଉଭୟ ବାପା ମା ଖାଇବାକୁ ବସିଥିଲେ ଏବଂ ପାଖରେ ପୁଅ ବିଗଲ ମଧ୍ୟ ବସିଥିଲା । ଅତି ଶ୍ରଦ୍ଧାର ସହିତ ବାପା ଏକ ଚିପ୍ସ ପ୍ୟାକେଟ୍ ପୁଅକୁ ଧରାଇ ଦେଇଥିଲେ । ପୁଅ ମଧ୍ୟ ଖୁସି ହୋଇ ଚିପ୍ସ ଖାଇଥିଲା ।
ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା । ଏହି ସମୟରେ ଚିପ୍ସ ପ୍ୟାକେଟରୁ ବାହାରିଥିବା ଛୋଟ ଖେଳାଣାକୁ ଭୁଲବଶତଃ ବିଗଲ ଖାଇଦେଇଥିଲା । ଉକ୍ତ ଖେଳଣାଟି ତା ତଣ୍ଟିରେ ଅଟକିଯାଇଥିଲା ଏବଂ ଚିତ୍କାର କରି କାନ୍ଦିବାକୁ ଲାଗିଥିଲା । କିଛି ବୁଝିବା ପୂର୍ବରୁ ତଣ୍ଟିରୁ ରକ୍ତ ସ୍ରାବ ହେବା ସହିତ ସେ ଚେତାଶୂନ୍ୟ ହୋଇପଡ଼ିଥିଲା । ତୁରନ୍ତ ପରିବାର ଲୋକେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନାରେ ପହଁଚିବା ପୂର୍ବରୁ ତାର ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି । ଖେଳଣାଟିକୁ ଖାଇବା ପରେ ପିଲାଟିର ଶ୍ୱାସରୁଦ୍ଧ ହୋଇଯାଇଥିବା ଡାକ୍ତର କହିଛନ୍ତି ।
ଛୋଟ ଶିଶୁର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଗାଁରେ ଶୋକର ଛାୟା ଖେଳି ଯାଇଛି । ସାମାନ୍ୟ ଚିପ୍ସ ପ୍ୟାକେଟ୍ ପୁଅର ଜୀବନ ନେଇଯିବ ତାହା କେବେ କଳ୍ପନା କରିନଥିବା କହିଛନ୍ତି ବାପା ରଞ୍ଜିତ । ବିଗଲ ଜଣେ ଭଲ ପିଲା ଥିଲା ଏବଂ ତାର ପାଠ ପଢ଼ା ପ୍ରତି ଆଗ୍ରହ ଥିବା କହିଛନ୍ତି ଅଙ୍ଗନବାଡ଼ି ଦିଦି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଦାରିଙ୍ଗବାଡ଼ିରେ ପୂର୍ବରୁ ମଧ୍ୟ ଏପରି ଏକ ଅଘଟଣ ଘଟିଛି । ଫୁଲବାଣୀ ଆଦର୍ଶ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ର ବ୍ଲେଡ୍ ଗିଳି ଦେବା ପରେ ତାର ମୃତ୍ୟୁ ହୋଇଥିଲା । ଅକ୍ଟୋବର ୧୦ରେ ତୁଷାର ମିଶ୍ର ନାମକ ଛାତ୍ର ପ୍ରାଣ ହରାଇଥିଲା ।