ଭୁବନେଶ୍ବର: ସରକାରୀ ସେବାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆଉ ୪ଟି ତହସିଲ ଗଠନ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ତୃଣମୂଳ ସ୍ତରରେ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସେବା ଯୋଗାଣକୁ ଅଧିକ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟରେ ଆଉ ୪ଟି ନୂତନ ତହସିଲ ଗଠନ କରାଯିବ। ଏହି ନୂତନ ତହସିଲଗୁଡ଼ିକୁ ମିଶାଇଲେ ରାଜ୍ୟରେ ମୋଟ ତହସିଲ ସଂଖ୍ୟା ୩୧୭ରୁ ବୃଦ୍ଧି ପାଇ ୩୨୧ରେ ପହଞ୍ଚିବ।
ଭୁବନେଶ୍ବର ତହସିଲକୁ ଭାଙ୍ଗି ଦୁଇଟି ଅତିରିକ୍ତ ତହସିଲ ଗଠନ କରାଯିବ। ସେହିପରି କଟକ ଓ ସମ୍ବଲପୁର ତହସିଲକୁ ଭାଙ୍ଗି ଗୋଟିଏ ଲେଖାଏଁ ଅତିରିକ୍ତ ତହସିଲ ଗଠନ କରାଯିବ। ଏନେଇ ମଙ୍ଗଳବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତିନୋଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଜାରି କରି କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏଥିସହିତ ସାତ ଦିନ ମଧ୍ୟରେ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ସମ୍ପୃକ୍ତ ରାଜସ୍ୱ ବିଭାଗୀୟ କମିଶନର (RDCs)ମାନଙ୍କୁ କୁହାଯାଇଛି।
ଭୁବନେଶ୍ୱର, କଟକ ଓ ସମ୍ବଲପୁର ତହସିଳ ସିଲ ଏବେ ମହାନଗର ନିଗମ ଅଞ୍ଚଳରେ ଅଛି। ଏଥିସହ ଏହା ଅଧୀନରେ ଅନେକ ଗାଁ ରହିଛି। ବିସ୍ତୃତ ଅଞ୍ଚଳ ଓ ଅଧିକ ଜନସଂଖ୍ୟା ଯୋଗୁ ଲୋକଙ୍କୁ ତ୍ବରିତ୍ ସରକାରୀ ସେବା ମିଳିବାରେ ସମସ୍ୟା ହେଉଛି। ଏହି ତହସିଲ ଅଧୀନ ଅଧୀନରେ ଅନେକ ଜମିଜମା ସମସ୍ୟା ଦୀର୍ଘ ଦିନ ଧରି ପଡ଼ିରହୁଛି। ଏହାକୁ ସମାଧାନ କରିବାରେ ଅନେକ ବିଳମ୍ବ ହେଉଛି। ଏଣୁ ଏସବୁ ଦିଗକୁ ବିଚାର କରି ନୂଆ ତହସିଲ ଗଠନ ପାଇଁ ସରକାର ନିଷ୍ପଭି ନେଇଛନ୍ତି।
ଜିଲାପାଳଙ୍କୁ ପତ୍ର ଲେଖି ଦର୍ଶାଯାଇଛି ଯେ, ଉପରୋକ୍ତ ତହସିିଲ ଗୁଡ଼ିକ ଉପରେ କାର୍ଯ୍ୟଭାର ବୃଦ୍ଧି ପାଇବାରୁ ଠିକ୍ ସମୟରେ ଲୋକଙ୍କୁ ରାଜସ୍ବ ସେବା ପ୍ରଦାନ କରିବାରେ ସମସ୍ୟା ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଅତିରିକ୍ତ ତହସିଲ ଗଠନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ନୂଆ ତହସିଲ ଗଠନ ପାଇଁ ବିସ୍ତୃତ ପ୍ରସ୍ତାବ ଦାଖଲ କରିବା ସହ ନୂଆ ତହସିଲର ସ୍ଥାନ, ଆରଆଇ ସର୍କଲ, ପୁଲିସ ଥାନା ଆଦିର ବିବରଣୀ ଏହି ବିଭାଗକୁ ପଠାଇବାକୁ ହେବ। ପ୍ରସ୍ତାବ ଦାଖଲ ପୂର୍ବରୁ ସ୍ଥାନୀୟ ଜନପ୍ରତିନିଧି, ଜନସାଧାରଣଙ୍କ ମତାମତ ନେବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଜିଲାପାଳମାନଙ୍କୁ ନୂତନ ତହସିଲ ଗଠନ ପାଇଁ ବିଧିବଦ୍ଧ ପ୍ରଣାଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢନ୍ତୁ: ରାଜଧାନୀରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା; ସ୍ମାର୍ଟ ସିଟି ଲିମିଟେଡ୍ ମହାପ୍ରବନ୍ଧକଙ୍କୁ ଚିଠି ଲେଖିଲେ ପରିବହନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ