ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ। ସରକାରୀ ଯୋଜନାକୁ ଦୁର୍ଗମ ଅଞ୍ଚଳର ହିତାଧିକାରୀଙ୍କ ନିକଟରେ ପହଞ୍ଚାଇ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ତିନୋଟି ପାହାଡ଼ ଚଢୁଛନ୍ତି ଏହି ବିଡିଓ ଜଣକ। କାର୍ଯ୍ୟଭାର ଗ୍ରହଣ କରିବାର ମାତ୍ର ଅଳ୍ପ ଦିନ ପରେ ସେ ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କ ସମସ୍ୟା ବୁଝୁଛନ୍ତି, ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ତାଙ୍କୁ ପ୍ରଶଂସା କରିଛନ୍ତି।
ଲୋକସେବା ଭବନରେ ଅନୁଷ୍ଠିତ ଜିଲ୍ଲାପାଳ-ଏସପି ସମ୍ମିଳନୀରେ ତାଙ୍କୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ହେଲେ ଲୋକମାନଙ୍କ ପାଖରେ ନିଶ୍ଚିତ ଭାବରେ ପହଁଚିପାରିବ। ଆଉ ତାହାର ଦାୟିତ୍ୱ ଜିଲ୍ଲାପାଳଙ୍କ ଉପରେ ରହିଛି । ଯୋଜନାର ସଫଳ ରୂପାୟନ ହେଲେ ରାଜ୍ୟରୁ ଦାରିଦ୍ର୍ୟ ଦୂର ହେବ ଏବଂ ଲୋକଙ୍କ ମୁହଁରେ ହସ ଫୁଟି ପାରିବ।
ଏହିସହ ମୁଖ୍ୟ ଶାସନ ସଚିବ ଅଧିକ ଫିଲ୍ଡ ଭିଜିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜସ୍ୱ ମନ୍ତ୍ରୀ ସରକାରୀ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ଆହ୍ୱାନ କରିଛନ୍ତି। ରାଜ୍ୟରୁ ଦୁର୍ନୀତି ହଟାଅ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବନି। ଏଥିସହ ଜିଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢନ୍ତୁ: ସରକାରଙ୍କ ପ୍ରତିଶ୍ରୁତି ପୂରଣ କରିବା ଜିଲ୍ଲାପାଳଙ୍କ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ