ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରସ୍ଥିତ ସାଲିଆସାହିରେ ସବୁଠାରୁ ବଡ଼ ଉଛେଦ ଚାଲିଛି । ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଘର ମାଟିରେ ମିଶିବ । ଏହି ଉଚ୍ଛେଦ ସମୟରେ ଏକ ଚାଞ୍ଚଲ୍ୟକର ଦୃଶ୍ୟ ସାମ୍ନାକୁ ଆସିଛି । ଗୋଟିଏ ଭଙ୍ଗା ଘରୁ ମିଳିଛି ପୁଳା ପୁଳା ସଂଖ୍ୟାରେ ଆଧାର କାର୍ଡ । ତେବେ ଏହି ଆଧାର ଅସଲି ନା ନକଲି ତାହା ସ୍ପଷ୍ଟ ହୋଇନାହିଁ ।
ନନ୍ଦନକାନନରୁ ଜୟଦେବ ବିହାରକୁ ଯୋଡିବାକୁ ଭୁବନେଶ୍ଵର ଲେଫ୍ଟ ପାରାଲାଲ ରୋଡ୍ ବା ରିଙ୍ଗ୍ ରୋଡ୍ ପାଇଁ ସାଲିଆସାହି ବାଧକ ସାଜିଛି । ବସ୍ତି ବାସିନ୍ଦାଙ୍କ ବିରୋଧ ପାଇଁ ପ୍ରାୟ ପାଞ୍ଚ ବର୍ଷ ହେବ ରିଙ୍ଗ୍ ରୋଡ୍ ପ୍ରକଳ୍ପ ଶେଷ ହୋଇ ପାରୁନାହିଁ । ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାରମ୍ବାର ନୋଟିସ୍ ସତ୍ତ୍ୱେ ଜାଗା ନ ଛାଡ଼ିବାରୁ ଶେଷରେ ବାଧ୍ୟ ହୋଇ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିପାଇଁ ପୂର୍ବରୁ ନୋଟିସ୍ କରାଯାଇଥିଲେ ସୁଧା ବସ୍ତି ଲୋକେ ଘର ଖାଲି କରିନଥିଲେ । ଆଜି ଜୋରଜବରଦସ୍ତ ଉଚ୍ଛେଦ ଆରମ୍ଭ ହୋଇଛି । ଉଚ୍ଛେଦ ଚାଲିଥିବା ସମୟରେ ଗୋଟିଏ ଘରୁ ଶତାଧିକ ଆଧାରକାର୍ଡ ମିଳିଛି । ସେହି ଆଧାରକାର୍ଡ କାହାର ଜଣା ପଡ଼ୁନାହିଁ । ଏହା ଜଣଙ୍କର ନକଲି ଆଧାରକାର୍ଡ ନା ଅନ୍ୟମାନଙ୍କ ଆଧାରକାର୍ଡକୁ ଜୋରଜବରଦସ୍ତ ରଖି ଆନ୍ଦୋଳନ ପାଇଁ ବାଧ୍ୟ କରାଯାଉଥିଲା ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ ।
ସେପଟେ ଉଚ୍ଛେଦବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ଏବଂ ପୋଲିସ ବିଭାଗ ସାମିଲ ରହିଛନ୍ତି । ବିଏମସି ପକ୍ଷରୁ ୬୦ଜଣିଆ ଏନଫୋର୍ସମେଣ୍ଟ ଟିମ୍, ଶହେ କର୍ମଚାରୀ ମଧ୍ୟ ନିୟୋଜିତ ଅଛନ୍ତି ।ତୀବ୍ର ଉତ୍ତେଜନାକୁ ଦୃଷ୍ଟିରେ ରଖି ୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ବିଏମସି ପକ୍ଷରୁ ଭଙ୍ଗାଯିବାକୁ ଥିବା ଘର ଗୁଡ଼ିକୁ ଚିହ୍ନଟ କରାଯାଇଛି। ଗତକାଲି ଡାକବାଜି ଯନ୍ତ୍ରରେ ଘର ଘର ବୁଲି ଏ ସମ୍ପର୍କରେ ଅବଗତ କରାଯାଇଥିଲା। ନିଜ ନିଜର ଆସବାବପତ୍ର ବାହାର କରିବାକୁ କୁହାଯାଇଥିଲା । ପୂର୍ବରୁ ୧୦୦ରୁ ଉର୍ଦ୍ଧ୍ୱ ଘର ଭଙ୍ଗା ଯାଇଛି । ମଙ୍ଗଳବାର ଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକିଥିବା ଘର ଗୁଡିକ ଉପରେ ଉଛେଦ ପ୍ରକ୍ରିୟା ଜାରି ରହିବ |
ନନ୍ଦନକାନନରୁ ଜୟଦେବ ବିହାରକୁ ଯୋଡିବାକୁ ଭୁବନେଶ୍ଵର ଲେଫ୍ଟ ପାରାଲାଲ ରୋଡ ପାଇଁ ଧୀରେ ଧୀରେ ଫିଟୁଛି ବାଟ । ସହରରୁ ଭିଡ଼ କମାଇବାକୁ ରିଙ୍ଗ୍ ରୋଡ୍ ନିର୍ମାଣ କରାଯାଉଛି ।