ଭୁବନେଶ୍ୱର/ସମ୍ବଲପୁର: ରାଜ୍ୟର ଯୁବପୀଢ଼ି ଏବେ ଧଳା ଜହର କବଳରେ ରହିଛନ୍ତି । ରାଜ୍ୟ ରାଜଧାନୀ ଭୁବନେଶ୍ୱରର ସମେତ ସମ୍ବଲପୁରରେ ବଡ଼ ବ୍ରାଉନ ସୁଗାର ଡିଲର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ । ମଙ୍ଗଳବାର ଭୁବନେଶ୍ୱରରୁ ୩ ଜଣ ଗିରଫ ହୋଇଥିବାବେଳେ ସମ୍ବଲପୁରରେ ୩ ଜଣ ମହିଳାଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି । ଅଧ କେଜିରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ ହୋଇଛି ।
ଭୁବନେଶ୍ୱରେ ବ୍ରାଉନସୁଗାର କାରବାର ନେଇ ଦୀର୍ଘ ଦିନ ହେବ ଅବକାରୀ ବିଭାଗ ଚଢ଼ଉ ଜାରି ରଖିଥିଲା । ଶେଷରେ ଆଜି ସେଥିରେ ସଫଳ ହୋଇଛି ଟିମ୍ । ସତ୍ୟନଗର ବ୍ରିଜ୍ ନିକଟରେ ଡିଲ୍ ଚାଲିଥିବାବେଳେ ଅବକାରୀ ବିଭାଗ ମାଡ଼ି ବସିଥିଲା । ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଡୁମଡୁମା ଅଞ୍ଚଳର ୱାସିମ ଖାନ, ସୁବ୍ରତ ପରିଡ଼ା ଏବଂ ରବି ବାରିକ । ସେମାନଙ୍କ ନିକଟରୁ ୪୮୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଅବକାରୀ ବିଭାଗ ଅଧିକାରୀ ଦେବାଶିଷ ପଟେଲ୍ ।
ସେପଟେ ସମ୍ବଲପୁର ଟାଉନ ପୋଲିସ ପକ୍ଷରୁ ବ୍ରାଉନସୁଗାର ଜବତ କରିଛି । ଏଥିରେ ମୋଟ ୫ ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ମହମ୍ମଦ ନୁମାଲ ଓ ମହମ୍ମଦ ସହେଲ କ୍ଷ ଏହି ଘଟଣାରେ ୩ ଜଣ ମହିଳା ମଧ୍ୟ ସମ୍ପୃକ୍ତ ରହିଛନ୍ତି । ପୋଲିସ ସୂଚନା ଅନୁସାରେ ଭିଏସଏସ ମାର୍ଗ ଅଞ୍ଚଳରେ ବ୍ରାଉନସୁଗାର କାରବାର ଚାଲୁଥିବାର ଖବର ପାଇ ଟାଉନ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୫ ଜଣଙ୍କୁ ଗିରଫ କରିବା ସହ ୧୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଏହି ବ୍ରାଉନସୁଗାର କଲିକତାରୁ ସମ୍ବଲପୁରକୁ ଅଣାଯାଇ ବିକ୍ରି କରାଯାଉଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଅତିରିକ୍ତ ଏସପି ଶ୍ରୀମନ୍ତ ବାରିକ ।