ପାଟନା: ବିହାର ଜେଡିୟୁ ଦଳ ଶେଷରେ ନୀତୀଶ କୁମାରଙ୍କ ନାମରେ ବିଧିବଦ୍ଧଭାବେ ମୋହର ମାରିଛି । ବୁଧବାର ନୀତୀଶ କୁମାରଙ୍କ ବାସଭବନରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ନୀତୀଶଙ୍କୁ ଜେଡିୟୁ ବିଧାୟକ ଦଳ ନେତା ଭାବେ ମନୋନୀତ କରିଛି ।
ସେପଟେ ବିଜେପି ବିଧାୟକ ଦଳ ବୈଠକ ଜାରି ରହିଛି । ବିଜୟ କୁମାର ସିହ୍ନାଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି । ଏହା ପରେ ଅପରାହ୍ନ ୩ଟା ୩୦ ମିନିଟରେ ବିଧାନସଭାର କେନ୍ଦ୍ରୀୟ ହଲରେ ଏନଡିଏର ବିଧାୟକ ଦଳ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ପାଞ୍ଚଟି ଏନଡିଏ ଦଳର ବିଧାୟକ ନୀତିଶ କୁମାରଙ୍କୁ ସେମାନଙ୍କର ନେତା ଭାବରେ ନିର୍ବାଚିତ କରିବେ। ଏହା ପରେ, ନୀତିଶ କୁମାର ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ବର୍ତ୍ତମାନର ସରକାରଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଇସ୍ତଫାପତ୍ର ପ୍ରଦାନ କରିବେ। ସେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ସମ୍ମୁଖରେ ସରକାର ଗଠନ ପାଇଁ ନିଜର ଦାବି ମଧ୍ୟ ଉପସ୍ଥାପନ କରିବେ ।
ଆସନ୍ତାକାଲି ପାଟନା ଗାନ୍ଧୀ ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ପୂର୍ବାହ୍ନ ସାଢ଼େ ୧୧ଟାରେ ନୀତୀଶ ୧୦ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ । ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶପଥ ପାଠ କରାଇବେ । ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଏହା ସହିତ ୨ ଲକ୍ଷରୁ ଅଧିକ ଜନତା ସମାଗମ ହେବାର ରହିଛି ।
ଚଳିତ ବିଧାନସଭା ନିର୍ବାଚନରେ ବିଜେପି-ଜେଡିୟୁର ଏନଡିଏ ମେଣ୍ଟ ଏକ ପାଖିଆ ବିଜୟ ହାସଲ କରିଛି । ଏନଡିଏ ୨୦୨ ଆସନରେ ବିଜୟପ୍ରାପ୍ତି କରିଥିବାବେଳେ ସେଥିରୁ ବିଜେପି ୮୯, ଜେଡିୟୁ ୮୪, ଏଲଜେପି ୧୯, ଏଚ୍ଏଏମ୍(ଏସ୍) ୫ ଓ ଆରଅଏଲ୍ଏମ୍ ୪ ଆସନରେ ଜିତିଛି । ସେପଟେ ମହାମେଣ୍ଟ ୩୫ଟି ଆସନରେ ଜିତିଥିବାବେଳେ ଅନ୍ୟାନ୍ୟ ଦଳ ୬ଟି ଆସନରେ ଜିତିଛନ୍ତି ।