ଭୁବନେଶ୍ୱର : ସାରା ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଥିବା ବେଳେ ଆଗକୁ ଆସୁଛି ଲଘୁଚାପ । ରାଜ୍ୟରେ ଗୋଟିଏ ପଟେ ପ୍ରବଳ ଶୀତ ଲାଗି ରହିଥିବା ବେଳେ ଏବେ ପୁଣି ବର୍ଷାରେ ଭିଜିବ ଓଡିଶା ।
ଏନେଇ ବୁଧବାର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏକ୍ସ ଯୋଗେ ଲଘୁଚାପ ସୃଷ୍ଟି ନେଇ ସୂଚନା ଦେଇଛନ୍ତି । ଆସନ୍ତା 22ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ସହ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହୋଇ 24 ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେବାର ସମ୍ଭାବନା ଅଛି । ପରବର୍ତ୍ତୀ 48ଘଣ୍ଟାରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ସମ୍ଭାବନା ରହିଛି ବୋଲି ସୂଚନା ରହିଛି ।
ଏହା ଆନ୍ଧ୍ର ଉପକୂଳ ଆଡକୁ ଗତି କରିପାରେ । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ 25 ରୁ 27 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ଜ଼ିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ରାଜ୍ୟରେ ବର୍ଷାର ପରିମାଣ କେତେ ରହିବ ସନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ଜାରି କରାଯାଇନାହିଁ ।
ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଶୀତ ଦିନେ ଅଦିନିଆ ବର୍ଷା ନେଇ ଚିନ୍ତା ବଢିଛି । ଏହି ସମୟରେ ଧାନ ଅମଳ ହେବ ତେଣୁ ଚାଷୀ କୂଳ ଫସଲ ନଷ୍ଟ ହେବାର ଆଶଙ୍କା କରୁଛନ୍ତି।