ଭୁବନେଶ୍ୱର : ଆଜି ନୂଆପଡ଼ାର ନବନିର୍ବାଚିତ ବିଜେପି ବିଧାୟକ ଜୟ ଢୋଲକିଆ ଶପଥ ଗ୍ରହଣ କରିବେ। ବିଧାନସଭାରେ ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଜୟଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇବେ। ଏହି କାର୍ଯ୍ୟକ୍ରମରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ଅନ୍ୟ ବିଧାୟକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।
ସୂଚନା ଥାଉ କି ୧୦ ବର୍ଷର ବ୍ୟବଧାନ ପରେ ପୁଣି ନୂଆପଡ଼ାରେ ପଦ୍ମ ଫୁଟିଛି। ବିଜେପିକୁ ବିଜୟର ସ୍ବାଦ ଚଖାଇଛନ୍ତି ଜୟ ଢୋଲକିଆ । ନୂଆପଡ଼ା ବିଜେଡିର ଗଡ଼ ଭାବେ ପରିଚିତ ଥିବା ବେଳେ ବିଜେପି ଆଗରେ କାମ ଦେଲାନି ବିଜେଡିର ରଣନୀତି । କାମ ଦେଲାନି ନବୀନଙ୍କ ଡବଲ ରାଲି । ଗଡ ବଞ୍ଚାଇବାରେ ଫେଲ୍ ମାରିଲେ ବିଜେଡି ସୁପ୍ରିମୋ । ଚିତପଟାଙ୍ଗ ମାରିଲା କଂଗ୍ରେସ । ୮୩୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନ ଓ ବିଜେଡି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଲେ ।
ଅନ୍ୟପଟେ ଜୟ ଢୋଲକିଆ ନିଜ ବାପା ରାଜେନ୍ଦ୍ର ଢୋଲକିଆ ୨୦୨୪ରେ ପାଇଥିବା ୬୧ ହଜାର ୮୨୨ ଭୋଟଠୁ ୫୦ ହଜାରରୁ ଅଧିକ ଭୋଟ୍ ପାଇଛନ୍ତି। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ଦଳରେ ମିଶାଇବାର ସୁଫଳ ବିଜେପିକୁ ମିଳିଛି। ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି ବିଜେପି।