ପୁରୀ : ଆଜି ହେଉଛି ଦେବ ଦୀପାବଳୀର ଦ୍ବିତୀୟ ଦିବସ। ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି। ବୁଧବାର ଠାରୁ ମହାପ୍ରଭୁଙ୍କ ଏହି ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିବା ଶ୍ରାଦ୍ଧ ନୀତି ଅନୁଷ୍ଠିତ ହେଉଛି । ଗତକାଲି ଚତୁର୍ଦଶୀରେ ମହାପ୍ରଭୁ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେଇଛନ୍ତି । ଆଜି ମହୋଦଧି ଅମାବାସ୍ୟାରେ ମହାପ୍ରଭୁ ତ୍ରେତୟା ଯୁଗର ଦଶରଥ ଓ କୌଶଲ୍ୟାଙ୍କୁ ଶ୍ରାଦ୍ଧ ଦେବେ ।
ଚାରିଯୁଗରେ ଜନ୍ମ ହୋଇଥିବା ସ୍ମୃତିରେ ନିଜର ମାତାପିତାଙ୍କୁ ଶ୍ରଦ୍ଧାରେ ଶ୍ରାଦ୍ଧ ଅର୍ପଣ କରିଥାନ୍ତି। ବାମନ, ପର୍ଶୁରାମ, ରାମ, ବଳରାମ, କୃଷ୍ଣ, ଜଗନ୍ନାଥ ଓ ସ୍ଵୟଂ ପୁରୁଷୋତ୍ତମ ଚତୁର୍ଦ୍ଧା ମୂର୍ତ୍ତି ରୂପେ ନିଜର ପିତା ମାତାଙ୍କୁ ଶ୍ରାଦ୍ଧ ଅର୍ପଣ କରିଥାନ୍ତି। ମହାପ୍ରଭୁ ତିନି ଦିନରେ ନିଜ ସହଧର୍ମିଣୀ ମାନଙ୍କ ସଙ୍ଗେ ନିଜ ପିତାମାତାଙ୍କ ସ୍ମୃତିରେ ଦେବ ଦୀପାବଳୀ ପାଳନ କରିଥାନ୍ତି।
ମହାପ୍ରଭୁଙ୍କ ଏହି ଦୀପ ଦାନ ସମୟରେ ଏକ ସ୍ୱତନ୍ତ୍ର ବେଶ ହୋଇଥାଏ । ଏହା ଶ୍ରାଦ୍ଧ ବେଶ ନାମରେ ପରିଚିତ । ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉ ମାନଙ୍କୁ ନାଗପୁରୀ ଶାଢ଼ୀ ଚାଦରରେ ଶ୍ରାଦ୍ଧ ବେଶରେ ଭୂଷିତ କରିଥାନ୍ତି। ଏଥିରେ ଶ୍ରୀଜୀଉମାନେ ଧଳା ବସ୍ତ୍ର ପରିହିତ ହୋଇଥାନ୍ତି। କିନ୍ତୁ ପ୍ରତ୍ୟକ ଠାକୁରଙ୍କ ଲୁଗାର ଧଡି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ। ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଏହି ଶ୍ରାଦ୍ଧବେଶରେ ନାଗପୁରୀ ଶାଢ଼ି ଚାଦରରେ ଭୂଷିତ କରାଇବା ସହ ଶ୍ରୀବିଗ୍ରହମାନଙ୍କୁ ସାଧାବେଶରେ ସଜ୍ଜିତ କରାଇଥାନ୍ତି ।
ଆଜି ଦ୍ୱିତୀୟ ଦିନର ଦେବଦୀପାବଳି ଅବସରରେ ପୁରୀର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ସନ୍ଧ୍ୟାରେ ଏକ ଲକ୍ଷ ଦୀପ ପ୍ରଜଳ୍ୱନ କରାଯିବ । ସମ୍ପୂର୍ଣ ବଡଦାଣ୍ଡ ଦୀପ ମୟ ହୋଇପଡିବ । ଦେବ ଦୀପାବଳି ନୀତିକୁ ନେଇ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି l