ଭୁବନେଶ୍ୱର: ନୂଆପଡ଼ାର ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଗୁରୁବାର ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ବାଚସ୍ପତିଙ୍କ କୋଠରୀରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି ।
ନିର୍ବାଚନ ଜିତିବା ପରେ ଜୟ ପ୍ରଥମ ଥର ପାଇଁ ବିଧାନସଭାରେ ପାଦ ଥାପିଥିଲେ । ଜୟଙ୍କ ସହିତ ମା, ପତ୍ନୀ ଏବଂ ଦୁଇ ଝିଅ ବିଧାନସଭାକୁ ଆସିଥିଲେ । ଏହା ପରେ ସପରିବାରର ଉପସ୍ଥିତିରେ ଜୟ ଶପଥ ଗ୍ରହଣ କରିଥିଲେ ।
ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ ରେକର୍ଡ ସଂଖ୍ୟକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ଉପନିର୍ବାଚନରେ ଜୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଥିଲେ । ତାଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ୍ ମିଳିଥିଲା । ଘାସିରାମ ୪୦ ହଜାର ୧୨୧ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ଏବଂ ବିଜେଡ଼ିର ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ ।
ସେପ୍ଟେମ୍ବର ୮ ରେ ତତ୍କାଳୀନ ନୂଆପଡ଼ା ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ ହୋଇଥିଲା । ଏହା ପରେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା । ଅକ୍ଟୋବର ୧୧ ତାରିଖରେ ରାଜେନ୍ଦ୍ରଙ୍କ ପୁଅ ଜୟ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢ଼ିଥିଲେ ।