ପାଟନା: ପୁଣି ଥରେ ବିହାରରେ ଆରମ୍ଭ ହୋଇଛି ନୀତୀଶ ଶାସନ । ନୀତୀଶଙ୍କର ହୋଇଛି ରାଜ୍ୟାଭିଷେକ । ୨୦ ବର୍ଷରେ ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଜନତା ଦଳ ୟୁନାଇଟେଡ୍ ନେତା ନୀତୀଶ କୁମାର । ଆଉ ନୀତୀଶଙ୍କର ଏହି ଐତିହାସିକ ମୁହୁର୍ତ୍ତର ସାକ୍ଷୀ ରହିଛି ଐତିହାସିକ ଗାନ୍ଧୀ ମଇଦାନ । ଗୁରୁବାର ପାଟନାସ୍ଥିତ ଗାନ୍ଧୀ ମଇଦାନରେ ଆୟୋଜିତ ଭବ୍ୟ ସମାରୋହରେ ନୀତୀଶ କୁମାର ଶପଥ ଗ୍ରହଣ କରିଛନ୍ତି । ଗୁରୁବାର ପାଟନାସ୍ଥିତ ଗାନ୍ଧୀ ମଇଦାନରେ ଆୟୋଜିତ ଭବ୍ୟ ସମାରୋହରେ ନୀତୀଶ କୁମାର ଶପଥ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ନୀତୀଶଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଏବଂ ୨୫ ଜଣ କ୍ୟାବିନେଟ୍ ମନ୍ତ୍ରୀ ଶପଥ ନେଇଛନ୍ତି । ରାଜ୍ୟପାଳ ଆରିଫ ମହମ୍ମଦ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ନୀତୀଶଙ୍କ ମନ୍ତ୍ରୀମଣ୍ଡଳରେ ଏନଡିଏ ସମସ୍ତ ଦଳ ପ୍ରତି ଧ୍ୟାନ ଦିଆଯାଇଛି । ସମସ୍ତ ଦଳରୁ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି । ତେବେ ଏଥିରେ ବିଜେପି ଆଗରେ ରହିଛି । ବିଜେପିରୁ ମୋଟ ୧୪, ଜେଡିୟୁରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବ୍ୟତୀତ ୮ ଜଣ, ଚିରାଗ ପାଶୱାନଙ୍କ ଦଳରୁ ୨, ଜିତନ ରାମ ମାଝୀଙ୍କ ନେତୃତ୍ୱାଧୀନ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏବଂ ଉପେନ୍ଦ୍ର କୁଶୱାହାଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା (ଆରଏଲଏମ) ଜଣେ ଲେଖାଏଁ ବିଧାୟକ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି । ବିଜେପିରୁ ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା, ମଙ୍ଗଲ ପାଣ୍ଡେ, ଡାକ୍ତର ଦିଲ୍ଲୀପ ଜୟଶୱାଲ, ନିତିନ ନବୀନ, ରାମକୃପାଲ ଯାଦବ, ସଞ୍ଜୟ ସିଂ ଟାଇଗର, ଅରୁଣ ଶଙ୍କର ପ୍ରସାଦ, ସୁରେନ୍ଦ୍ର ମେହେଟ୍ଟା, ନାରାୟଣ ପ୍ରସାଦ, ରମା ନିଷାଦ, ଲକ୍ଷେନ୍ଦ୍ର ପାଶୱାନ, ଶ୍ରେୟସୀ ସିଂହ ଓ ଡାକ୍ତର ପ୍ରମୋଦ କୁମାର ଚନ୍ଦ୍ରବଂଶୀ । ସେହିପରି ଜେଡିୟରୁ ବିଜୟ କୁମାର ଚୌଧୁରୀ, ଶ୍ରବଣ କୁମାର, ବିଜେନ୍ଦ୍ର ପ୍ରସାଦ ଯାଦବ, ଅଶୋକ ଚୌଧୁରୀ, ଲେସୀ ସିଂହ, ଅହମ୍ମଦ ଜମା ଖାନ, ମଦନ ସହନୀ ଏବଂ ସୁନୀଲ କୁମାର ଶପଥ ନେଇଛନ୍ତି । ସେପଟେ ଏଲଜେପିରୁ ସଂଜୟ କୁମାର ପାସୱାନ ଏବଂ ସଞ୍ଜୟ ସିଂହ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାରୁ ସନ୍ତୋଷ କୁମାର ସୁମନ ଏବଂ ଆରଏମଲରୁ ଦୀପକ ପ୍ରକାଶ ଶପଥ ନେଇଛନ୍ତି ।
ଏହି ଶପଥ ସମାରୋହ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବିହାର ନିର୍ବାଚନର ଚାଣକ୍ୟ କୁହାଯାଉଥିବା ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଚିରାଗ ପାଶୱାନ ଏବଂ ବିଭିନ୍ନ ବିଜେପି ଓ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଛନ୍ତି । ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପ୍ରମୁଖଙ୍କୁ ମଞ୍ଚ ଉପରେ ଦେଖିବାକୁ ମିଳିଛି । ସେପଟେ ଗାନ୍ଧୀ ମଇଦାନରେ ୨ ଲକ୍ଷ ଜନତାଙ୍କ ସମାଗମ ହୋଇଛି । ସବୁଠାରୁ ମଜାଳିଆ ଘଟଣା ଥିଲା ଗାନ୍ଧୀ ମଇଦାନ ଉଡ଼ିଥିଲା ଗାମୁଛା ।
ଗତକାଲି ପ୍ରଥମେ ଜେଡିୟୁ ବିଧାୟକ ଦଳ ବୈଠକ ବସିଥିଲା, ଯେଉଁଥିରେ ନୀତୀଶଙ୍କୁ ବିଧାୟକ ଦଳ ନେତା ଚୟନ କରାଯାଇଥିଲା । ଏହା ପର ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କୁ ବିଧାୟକ ଦଳ ନେତା ଏବଂ ଉପ-ନେତା ଭାବରେ ମନୋନୀତ ହୋଇଥିଲେ । ପରେ ଏନଡିଏ ବିଧାୟକ ଦଳ ବୈଠକରେ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ନୀତୀଶ କୁମାରଙ୍କୁ ବିଧାୟକ ନେତା କରିବାକୁ ପ୍ରସ୍ତାବ ଆଗତ କରିଥିଲେ । ଜେଡିୟୁର ବିଜେନ୍ଦ୍ର ଯାଦବ ଏବଂ ଏଲଜେପିଆର୍ ବିଧାୟକ ଦଳ ନେତା ରାଜୁ ତିୱାରୀ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହା ପରେ ନୀତୀଶଙ୍କ ନାମରେ ମୋହର ଲାଗିଥିଲା ।
ଚଳିତ ବିଧାନସଭା ନିର୍ବାଚନରେ ବିଜେପି-ଜେଡିୟୁର ଏନଡିଏ ମେଣ୍ଟ ଏକ ପାଖିଆ ବିଜୟ ହାସଲ କରିଛି । ଏନଡିଏ ୨୦୨ ଆସନରେ ବିଜୟପ୍ରାପ୍ତି କରିଥିବାବେଳେ ସେଥିରୁ ବିଜେପି ୮୯, ଜେଡିୟୁ ୮୪, ଏଲଜେପି ୧୯, ଏଚ୍ଏଏମ୍(ଏସ୍) ୫ ଓ ଆରଅଏଲ୍ଏମ୍ ୪ ଆସନରେ ଜିତିଛି । ସେପଟେ ମହାମେଣ୍ଟ ୩୫ଟି ଆସନରେ ଜିତିଥିବାବେଳେ ଅନ୍ୟାନ୍ୟ ଦଳ ୬ଟି ଆସନରେ ଜିତିଛନ୍ତି ।