ନୂଆଦିଲ୍ଲୀ: ରଣଜୀ ଟ୍ରଫିର ଗ୍ରୁପ ପର୍ଯ୍ୟାୟ ମୁକାବିଲାରେ ଉତ୍ତର ପ୍ରଦେଶ ପକ୍ଷରୁ ଖେଳୁଥିବା ବାମହାତୀ ବ୍ୟାଟର ରିଙ୍କୁ ସିଂ ଲଗାତାର ଦ୍ୱିତୀୟ ଶତକ ହାସଲ କରିଛନ୍ତି । ସେ ତାମିଲନାଡୁ ବିପକ୍ଷରେ ୧୭୬ ରନର ଦମଦାର ଇନିଂସ ଖେଳିଛନ୍ତି । ଏଥିରେ ୧୭ ଚୌକା ଓ ୬ ଛକା ସାମିଲ୍ । ଏହା ରିଙ୍କୁ ସିଂଙ୍କ ପ୍ରଥମ ଶ୍ରେଣୀ କ୍ରିକେଟରେ ସର୍ବଶ୍ରେଷ୍ଠ ସ୍କୋର ।
ଭାରତର ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ କ୍ରିକେଟ୍ ରଣଜୀ ଟ୍ରଫିରେ ଖୁବ୍ ଧମାଲ ଏବଂ ରେକର୍ଡ ଦେଖିବାକୁ ମିଳୁଛି । ସମସ୍ତ ବଡ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । ରିଙ୍କୁ ସିଂ ମଧ୍ୟ ସେହି ଖେଳାଳିଙ୍କ ମଧ୍ୟରୁ ଜଣେ । ରିଙ୍କୁ ଜାତୀୟ ଦଳ ପକ୍ଷରୁ ଖେଳିଥିଲେ ମଧ୍ୟ ଏବେ ବି ତାଙ୍କର ସ୍ଥାନ ସୁନିଶ୍ଚିତ ହୋଇ ନାହିଁ । ଏହା ମଧ୍ୟରେ ସେ ଏମିତି ଏକ ଇନିଂସ ଖେଳିଛନ୍ତି, ଯାହା ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିପାରେ ।
ରଣଜୀ ଟ୍ରଫିରେ ତାମିଲନାଡୁ ବିପକ୍ଷରେ ଖେଳିଥିବା ୧୭୬ ରନର ଇନିଂସ ରିଙ୍କୁ ସିଂଙ୍କ କ୍ୟାରିୟରର ସବୁଠୁ ବଡ ଇନିଂସ । ଆଇପିଏଲରେ କେକେଆର ପକ୍ଷରୁ ଖେଳୁଥିବା ରିଙ୍କୁ ସିଂ ନିଜର ଗତ ରଣଜୀ ଟ୍ରଫିରେ ଶତକ ହାସଲ କରିଥିଲେ । ସେ ଅକ୍ଟୋବରରେ ଆନ୍ଧ୍ର ପ୍ରଦେଶ ବିପକ୍ଷ ମ୍ୟାଚରେ ଅପରାଜିତ ୧୬୫ ରନର ଇନିଂସ ଖେଳିଥିଲେ । ଆଉ ଏହି ଦୁଇ ମ୍ୟାଚରେ ରିଙ୍କୁ ବୋଲିଂ କରିଥିଲେ । ହେଲେ ତାଙ୍କୁ କୌଣସି ସଫଳତା ମିଳି ନ ଥିଲା ।
ରିଙ୍କୁ ସିଂ ପ୍ରଥମ ଶ୍ରେଣୀ କ୍ରିକେଟ୍ କ୍ୟାରିୟରରେ ୫୨ ମ୍ୟାଚରେ ୩ ହଜାର ୬୭୭ ରନ କରିଛନ୍ତି । ଏଥିରେ ୯ ଶତକ ଓ ୨୨ ଅର୍ଦ୍ଧଶତକ ସାମିଲ୍ । ସେ ଭାରତ ପାଇଁ ଦିନିକିଆ ଓ ଟି-୨୦ ଡେବ୍ୟୁ କରି ସାରିଛନ୍ତି । ସେ ୨ଟି ଦିନିକିଆରେ ୫୫ ରନ ଓ ୩୫ଟି ଟି-୨୦ରେ ୫୫୦ ରନ କରିଛନ୍ତି ।
Also read: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଖେଳିବେ ନାହିଁ ହାର୍ଦ୍ଦିକ ଓ ବୁମରା, ରିପୋର୍ଟରୁ ଖୁଲାସା