ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା। ଅଧିନାୟକ ଶୁଭମନ ଗିଲ ଗୌହାଟିରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। କୋଲକାତା ଟେଷ୍ଟ ସମୟରେ ଗିଲ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ରିଟାୟର୍ଡ ହର୍ଟ ହେବାକୁ ବାଧ୍ୟ ହୋଇଥିଲେ। ସେ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ କରିପାରି ନଥିଲେ। ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗିଲ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି ଏବଂ ତାଙ୍କ ଅନୁପସ୍ଥିତିରେ ରିଷଭ ପନ୍ତ ଦଳର ନେତୃତ୍ୱ ନେବେ।
କୋଲକାତା ଟେଷ୍ଟରେ ଶୁଭମନ ଗିଲଙ୍କ ଅନୁପସ୍ଥିତି ଦଳ ଅନୁଭବ କରିଥିଲା। ଟିମ୍ ଇଣ୍ଡିଆ ୧୨୪ ରନର ଟାର୍ଗେଟ ପିଛା କରିବା ସମୟରେ ୩୦ ରନରେ ପରାସ୍ତ ହୋଇଥିଲା। ବିସିସିଆଇ ଆଜି ଗିଲଙ୍କ ସମ୍ପର୍କରେ ଏକ ପ୍ରେସ ବିବୃତ୍ତି ଜାରି କରି କହିଥିଲା ଯେ ଗିଲ୍ ଦଳ ସହିତ ଗୌହାଟୀ ଯିବେ। କିନ୍ତୁ ତାଙ୍କ ଖେଳିବା ନେଇ ନିଷ୍ପତ୍ତି ପରେ ନିଆଯିବ।
ଏହି ଖେଳାଳିଙ୍କୁ ପ୍ଲେଇଂ ୧୧ରେ ମିଳିପାରେ ସୁଯୋଗ
ଉପ-ଅଧିନାୟକ ରିଷଭ ପନ୍ତ ଯିଏ ପ୍ରଥମ ଟେଷ୍ଟରେ ଶୁଭମନ ଗିଲଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଇଥିଲେ ସେ ଦ୍ଵିତୀୟ ଟେଷ୍ଟରେ ଦଳର ମଙ୍ଗ ସମ୍ଭାଳିବେ। ଗିଲଙ୍କ ଅନୁପସ୍ଥିତି ସାଇ ସୁଦର୍ଶନଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ।
ବୁଧବାର ଦିନ ବିସିସିଆଇ ଏକ ବିବୃତ୍ତିରେ କହିଛି, ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋଲକାତା ଟେଷ୍ଟର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲଙ୍କ ବେକରେ ଆଘାତ ଲାଗିଥିଲା ଏବଂ ଦିନର ଖେଳ ପରେ ତାଙ୍କ ଟେଷ୍ଟ ପାଇଁ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା ଏବଂ ପରଦିନ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଗିଲ୍ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି ଏବଂ ୧୯ ନଭେମ୍ବର ୨୦୨୫ରେ ଦଳ ସହିତ ଗୌହାଟି ଯାତ୍ରା କରିବେ।
ଟିମ୍ ଇଣ୍ଡିଆକୁ ଯେ କୌଣସି ସ୍ଥିତିରେ ଦ୍ୱିତୀୟ ଟେଷ୍ଟ ଜିତିବାକୁ ପଡିବ
ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୦-୧ରେ ପଛରେ ଅଛି। ଏବେ ସିରିଜ ପରାଜୟ ଏଡାଇବା ପାଇଁ, ଟିମ୍ ଇଣ୍ଡିଆକୁ ଯେକୌଣସି ମୂଲ୍ୟରେ ଗୌହାଟିରେ ଜିତିବାକୁ ପଡିବ। କାରଣ ଡ୍ର ହେଲେ ମଧ୍ୟ ଦକ୍ଷିଣ ଆଫ୍ରିକା ସିରିଜ ଜିତିବ। ଉଲ୍ଲେଖନୀୟ ତେମ୍ବା ବାଭୁମା ଅଧିନାୟକ ଭାବରେ କେବେ ବି ଟେଷ୍ଟ ହାରି ନାହାନ୍ତି। ସେ ୧୧ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକତ୍ୱ କରିଥିବା ବେଳେ ଦଳ ୧୦ଟି ଜିତିଛି ଏବଂ ଗୋଟିଏ ଡ୍ର ରହିଛି। ସିରିଜ ଡ୍ର କରିବା ପାଇଁ ଭାରତକୁ ଏବେ ବାଭୁମାଙ୍କ ରେକର୍ଡ ଭାଙ୍ଗିବାକୁ ପଡିବ।Also read: ଦିନିକିଆ ମାନ୍ୟତା, ରୋହିତଙ୍କ ଗାଦି ଛଡାଇ ନେଲେ ଏହି ବ୍ୟାଟର