ନୂଆଦିଲ୍ଲୀ: ଦିଲ୍ଲୀ ବ୍ଲାଷ୍ଟର ତଦନ୍ତ ମଧ୍ୟରେ ସନ୍ଦେହ ଘେରରେ ରହିଥିବା ଅଲ ଫଲାହ ବିଶ୍ୱ ବିଦ୍ୟାଳୟର ସଂସ୍ଥାପକ ତଥା ଟ୍ରଷ୍ଟର ପ୍ରମୁଖ ଅହମ୍ମଦ ସିଦ୍ଦିକିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରି ସାରିଛି । ଏବେ ସିଦ୍ଦିକିଙ୍କ ମହୁ ସ୍ଥିତ ଚାରି ମହଲା କୋଠା ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନର ବିପଦ ଘନେଇବାରେ ଲାଗିଛି । ମହୁ ଛାବନି ପରିଷଦ କୋଠାରେ ବଡ ନୋଟିସ ମାରି ୩ ଦିନ ଭିତରେ କବଜା କରିଥିବା ନିର୍ମାଣ ହଟାଇବାକୁ ଆଦେଶ ଦେଇଛି ।
ନୋଟିସରେ କୁହାଯାଇଛି ଯେ ନିର୍ମାଣ ଅବୈଧ୍ୟ । ଏହାକୁ ନିର୍ମାଣକାରୀ ନିଜେ ଭାଙ୍ଗି ଦିଅନ୍ତୁ । ନଚେତ୍ କ୍ୟାଣ୍ଟ ବୋର୍ଡ ନିଜେ ଏହାକୁ ଧ୍ୱସ୍ତ କରିଦେବ । କେବଳ ଏତିକି ନୁହେଁ କୋଠା ଭାଙ୍ଗିବାର ଖର୍ଚ୍ଚ ମଧ୍ୟ କୋଠା ମାଲିକଠୁ ଆଦାୟ କରାଯିବ ।
ଜୱାଦ ଅହମ୍ମଦ ସିଦ୍ଦିକି ଓ ତାଙ୍କ ଭାଇ ହମୁଦ ସିଦ୍ଦିକିଙ୍କ ଚାରି ମହଲା କୋଠା ମହୁର ମୁକେରୀ ମୋହଲ୍ଲାରେ ଅବସ୍ଥିତ । କ୍ୟାଣ୍ଟ ବୋର୍ଡ ଏହି ନିର୍ମାଣକୁ ବେଆଇନ ଘୋଷିତ କରିଛି । ବୋର୍ଡ ଦସ୍ତାବିଜ ଯାଞ୍ଚ ପରେ କୋଠାରେ ବଡ ନୋଟିସ୍ ମାରି ଦେଇଛି । ବୋର୍ଡ ନୋଟିସରେ କହିଛି ଯେ, ଏହି ଘର ନମ୍ବର ୧୩୭୧, ସର୍ଭେ ନମ୍ବର ୨୪୫/୧୨୪୫ରେ ଆପଣଙ୍କ ଦ୍ୱାରା ଅବୈଧ୍ୟ ନିର୍ମାଣ କରାଯାଇଛି । ଏଥିପାଇଁ ଆପଣଙ୍କୁ ୧୯୯୬ ଅକ୍ଟୋବର ୨୩ରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
ଯଦି ତିନି ଦିନ ଭିତରେ କୋଠା ପରିସରରେ ଥିବା ବେଆଇନ ନିର୍ମାଣ ନ ହଟାଇଲେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବେଆଇନ ନିର୍ମାଣ ଭଙ୍ଗାଯିବ ଏବଂ ଏହାର ଖର୍ଚ୍ଚ ମାଲିକଙ୍କଠୁ ଆଦାୟ କରାଯିବ । ତେଣୁ ଘରର ମାଲିକଙ୍କୁ ତିନି ଦିନ ଭିତରେ ବେଆଇନ ନିର୍ମାଣ ହଟାଇବାକୁ ପଡିବ ।