ପାଟନା: ଏନଡିଏ ନୀତୀଶ କୁମାରଙ୍କୁ ବିଧାୟକ ଦଳ ନେତାଭାବେ ମନୋନୀତ ହୋଇଛନ୍ତି । ଏହା ପରେ ନୀତୀଶ କୁମାର ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ କରିଛନ୍ତି ।
ଏନଡିଏ ବିଧାୟକ ଦଳ ବୈଠକରେ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ନୀତୀଶ କୁମାରଙ୍କୁ ବିଧାୟକ ନେତା କରିବାକୁ ପ୍ରସ୍ତାବ ଆଗତ କରିଥିଲେ । ଜେଡିୟୁର ବିଜେନ୍ଦ୍ର ଯାଦବ ଏବଂ ଏଲଜେପିଆର୍ ବିଧାୟକ ଦଳ ନେତା ରାଜୁ ତିୱାରୀ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହା ପରେ ନୀତୀଶଙ୍କ ନାମରେ ମୋହର ଲାଗିଥିଲା ।
ବିଧାୟକ ଦଳ ନେତା ଚୟନ ହେବା ପରେ ନୀତୀଶ କୁମାର ରାଜଭବନ ଅଭିମୁଖେ ବାହାରିଥିଲେ । ସାଥିରେ ଚିରାଗ ପାଶୱାନଙ୍କ ସମେତ ଅନେତ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ନୀତୀଶ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଇସ୍ତଫା ପ୍ରଦାନ କରିଛନ୍ତି । ଏହା ସହିତ ନୂତନ ସରକାର ଗଠନ ରାଜ୍ୟପାଳଙ୍କୁ ନିକଟରେ ପ୍ରସ୍ତାବ ରଖିଛନ୍ତି ।
ଆସନ୍ତାକାଲି ପାଟନା ଗାନ୍ଧୀ ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ପୂର୍ବାହ୍ନ ସାଢ଼େ ୧୧ଟାରେ ନୀତୀଶ ୧୦ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ । ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶପଥ ପାଠ କରାଇବେ । ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଏହା ସହିତ ୨ ଲକ୍ଷରୁ ଅଧିକ ଜନତା ସମାଗମ ହେବାର ରହିଛି ।
ଚଳିତ ବିଧାନସଭା ନିର୍ବାଚନରେ ବିଜେପି-ଜେଡିୟୁର ଏନଡିଏ ମେଣ୍ଟ ଏକ ପାଖିଆ ବିଜୟ ହାସଲ କରିଛି । ଏନଡିଏ ୨୦୨ ଆସନରେ ବିଜୟପ୍ରାପ୍ତି କରିଥିବାବେଳେ ସେଥିରୁ ବିଜେପି ୮୯, ଜେଡିୟୁ ୮୪, ଏଲଜେପି ୧୯, ଏଚ୍ଏଏମ୍(ଏସ୍) ୫ ଓ ଆରଅଏଲ୍ଏମ୍ ୪ ଆସନରେ ଜିତିଛି । ସେପଟେ ମହାମେଣ୍ଟ ୩୫ଟି ଆସନରେ ଜିତିଥିବାବେଳେ ଅନ୍ୟାନ୍ୟ ଦଳ ୬ଟି ଆସନରେ ଜିତିଛନ୍ତି ।