ନୂଆଦିଲ୍ଲୀ: ଟି-୨୦ ସିରିଜରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ଏବେ ଟିମ୍ ଇଣ୍ଡିଆ ଦିନିକିଆରେ ଇଂରେଜଙ୍କୁ ମାତ୍ ଦେବାକୁ ମଇଦାନକୁ ଓହ୍ଲାଇବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ନାଗପୁରରେ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳର ଚୂଡାନ୍ତ ଏକାଦଶ କିପରି ରହିବ ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ।
ଦିନିକିଆ ଦଳରେ ଭାରତର ଟପ୍ ଅର୍ଡର ସ୍ଥିର ରହିଛି । ଅଧିନାୟକ ରୋହିତ ଶର୍ମା ଓ ଯୁବ ଓପନର ଶୁଭମନ ଗିଲ୍ ଇନିଂସ ଆରମ୍ଭ କରିବେ । ଏହା ପରେ ତିନି ନମ୍ବରରେ ବିରାଟ କୋହଲି ଖେଳିବେ । ୨୦୨୩ ଦିନିକିଆ ବିଶ୍ୱକପରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଫର୍ମକୁ ଫେରିବା ପାଇଁ ବିରାଟଙ୍କ ପାଖରେ ଏହା ଭଲ ସୁଯୋଗ ରହିଛି । ଏହା ପରେ ଚାରି ନମ୍ବରରେ ଶ୍ରେୟସ ଆୟର ବ୍ୟାଟିଂ କରିବେ ।
ଏହି ସିରିଜ୍ ପାଇଁ ଯେବେ ଭାରତୀୟ ଦଳ ଘୋଷଣା କରାଗଲା ସେହି ସମୟରେ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗକର ସ୍ପଷ୍ଟ କରି ଦେଇଥିଲେ ଯେ, ଦିନିକିଆରେ ୱିକେଟ୍ କିପର ଭାବେ କେଏଲ ରାହୁଲ ହେଉଛନ୍ତି ପ୍ରଥମ ପସନ୍ଦ । ତେଣୁ ଦିନିକିଆ ଦଳର ଚୂଡାନ୍ତ ଏକାଦଶରେ ପନ୍ତଙ୍କୁ ସ୍ଥାନ ମିଳିବା ମୁସ୍କିଲ ଲାଗୁଛି । ଏହା ବାଦ ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଓ ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କୁ ବେଞ୍ଚରେ ବସିବାକୁ ପଡିପାରେ ।
ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିିକିଆରେ ଭାରତୀୟ ଦଳ ପ୍ରବନ୍ଧକ ଅର୍ଶଦୀପ ସିଂ ଓ ମହମ୍ମଦ ଶାମିଙ୍କ ଦ୍ରୁତ ବୋଲିଂ ଭାର ଦେଇ ପାରନ୍ତି । ଏହି ଦୁଇ ବୋଲରଙ୍କ ସହିତ ରହିବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହା ବ୍ୟତୀତ ସ୍ପିନ ବିଭାଗରେ ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ସହିତ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ବରୁଣଙ୍କୁ ଶେଷ ମୁହୂର୍ତ୍ତରେ ଦିନିକିଆ ଦଳରେ ସାମିଲ କରାଯାଇଛି । ବରୁଣ ଟି-୨୦ ସିରିଜରେ ଚମତ୍କାର ବୋଲିଂ କରି ୧୪ ୱିକେଟ୍ ହାସଲ କରିବା ସହ ଭାରତର ସିରିଜ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ପ୍ରଥମ ଦିନିକିଆ ପାଇଁ ଭାରତୀୟ ଦଳର ସମ୍ଭାବିତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ ଓ ମହମ୍ମଦ ଶାମି ।