ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ସଂପନ୍ନ ପରେ ଏବେ ଦୁଇ ଦଳ ଦିନିକିଆ ସିରିଜରେ ମୁହାଁମୁହିଁ ହେବେ । ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୬ ତାରିଖ ନାଗପୁରରେ ଖେଳାଯିବ । ତେବେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳରେ ଅଚାନକ ଏକ ପରିବର୍ତ୍ତନ ଘଟିଛି । ଫର୍ମରେ ଥିବା ମିଷ୍ଟ୍ରୀ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଭାଗ୍ୟ ଚମକିଛି । ତାଙ୍କୁ ଏହି ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ମଙ୍ଗଳବାର ଏହାର ଘୋଷଣା କରିଛି । ବରୁଣ ଏ ପର୍ଯ୍ୟନ୍ତ ଭାରତ ପକ୍ଷରୁ ଦିନିକିଆ ଖେଳି ନାହାନ୍ତି ।
ବରୁଣ ଚକ୍ରବର୍ତ୍ତୀ ନିକଟରେ ସଂପନ୍ନ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ୧୪ ୱିକେଟ୍ ହାସଲ କରିଥିଲ । ବରୁଣଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସାମିଲ କରାଯିବା କେଉଁଠି ନା କେଉଁଠି ତାଙ୍କୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳରେ ନିଆଯିବାର ସଙ୍କେତ ଦେଇଛି ବିସିସିଆଇ । ଆଇସିସି ନିୟମ ଅନୁ୍ଯାୟୀ ସମସ୍ତ ଦଳ ଫେବୃଆରୀ ୧୨ ତାରିଖ ସୁଦ୍ଧା ନିଜ ସ୍କ୍ୱାଡରେ ପରିବର୍ତ୍ତନ କରି ପାରିବେ । ଏବେ ଦେଖିବା ବାକି ରହିଲା ବରୁଣଙ୍କୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଚୟନ କରାଯାଉଛି କି ନାହିଁ ।
ପିଟିଆଇର ରିପୋର୍ଟ ଅନୁସାରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟଙ୍କ ଇଚ୍ଛା ବରୁଣ ଏମିତି ଫର୍ମ ବଜାୟ ରଖନ୍ତୁ । ତେଣୁ ଏହାର ପୂରା ସମ୍ଭାବନା ଯେ, ଚକ୍ରବର୍ତ୍ତୀ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଦଳରେ ସାମିଲ ଚାରି ବିଶେଷଜ୍ଞ ସ୍ପିନରଙ୍କ ମଧ୍ୟରୁ ଜଣଙ୍କ ସ୍ଥାନ ନେଇ ପାରନ୍ତି । ସେ କୁଲଦୀପ ଯାଦବ କିମ୍ବା ୱାଶିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣଙ୍କ ସ୍ଥାନ ନେଇ ପାରନ୍ତି । ତେବେ ଏସବୁ ନିର୍ଭର କରେ ବରୁଣ ଦିନିକିଆ ସିରିଜରେ କେମିତି ପ୍ରଦର୍ଶନ କରୁଛନ୍ତି ।