ମୁୁମ୍ବାଇ: ଅଭିଷେକ ଶର୍ମାଙ୍କ ବିଧ୍ୱଂସୀ ରେକର୍ଡ ଶତକୀୟ ଇନିଂସ ବଳରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ଶେଷ ତଥା ପଞ୍ଚମ ଟି-୨୦ରେ ଘରୋଇ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୧୫୦ ରନର ବିଶାଳ ବ୍ୟବଧାନରେ ହରାଇଛି । ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୪-୧ରେ ବିଜୟ ହାସଲ କରିଛି । ଭାରତର ଘରୋଇ ମାଟିରେ ଏହା ହେଉଛି କ୍ରମାଗତ ରେକର୍ଡ ୧୭ତମ ସିରିଜ୍ ବିଜୟ । ଭାରତ ବିଜୟରେ ଉଦୀୟମାନ ବାମହାତୀ ବ୍ୟାଟର ଅଭିଷେକ ଶର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ବୋଲିଂରେ ଖୋଦ୍ ଅଭିଷେକ ୨ଟି ସଫଳତା ପାଇଥିବା ବେଳେ ମହମ୍ମଦ ଶାମି ୩ଟି ୱିକେଟ୍ ନେଇଛନ୍ତି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪୭ ରନ କରିଥିଲା । ଏଥିରେ ଅଭିଷେକ ଶର୍ମା ୧୩୪ ରନର ଶତକୀୟ ଇନିଂସ ଖେଳିଥିଲେ । ଶିବମ ଦୁବେ ୩୦ ରନର ଯୋଗଦାନ ଦେଇଥିଲେ । ଜବାବରେ ଇଂଲଣ୍ଡ ଦଳ ମାତ୍ର ୯୭ ରନରେ ଅଲଆଉଟ୍ ହୋଇଥିଲା । ଭାରତୀୟ ଦଳର ବ୍ୟାଟରଙ୍କ ପରେ ବୋଲର ପ୍ରଭାବଶାଳୀ ପଦର୍ଶନ କରି ଭାରତକୁ ଏକ ରେକର୍ଡ ବିଜୟ ଦେଇଛନ୍ତି ।
ଭାରତ ପକ୍ଷରୁ ଅଭିଷେକ ଶର୍ମା ଇଂଲଣ୍ଡ ବୋଲରଙ୍କୁ ନିର୍ଧୂମ ପ୍ରହାର କରିଥିଲେ । ସେ ମାତ୍ର ୫୪ ବଲରୁ ୧୩୫ ରନ କରିଥିଲେ । ଏଥିରେ ୭ ଚୌକା ଓ ୧୩ ଛକା ସାମିଲ । ଅଭିଷେକ ୩୭ ବଲରୁ ଶତକ ଅର୍ଜନ କରି ଟି-୨୦ ଅନ୍ତର୍ଜାତୀୟରେ ତୃତୀୟ ଦ୍ରୁତତମ ଶତକ ଅର୍ଜନ କରିଛନ୍ତି । ଭାରତୀୟ ବ୍ୟାଟର ଭାବେ ଏହା ତାଙ୍କର ଦ୍ୱିତୀୟ ଦ୍ରୁତତମ ଶତକ । ଶିବମ ଦୁବେ ୧୩ ବଲରୁ ୩୦ ରନ କରିଥିଲେ । ଏଥିରେ ୩ ଚୌକା ଓ ୨ ଛକା ସାମିଲ । ଏହି ପରି ଭାରତ ୯ ୱିକେଟ୍ ହରାଇ ୨୪୭ ରନର ବିଶାଳ ସ୍କୋର କରିଥିଲା । ଓପନର ସଞ୍ଜୁ ସାମସନ ୧୬ ରନ କରି ଆଉଟ୍ ହୋଇଥିଲେ । ତିଳକ ବର୍ମା ୨୪ ରନ କରିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମାତ୍ର ୨ ରନ କରି ପୁଣି ଥରେ ନିରାଶ କରିଥିଲ ।
ଭାରତର ବ୍ୟାଟିଂ ପରେ ବୋଲର ଦମଦାର ପ୍ରଦର୍ଶନ କରିଥିଲେ । ଇଂଲଣ୍ଡ ୧୦.୩ ଓଭରେ ୯୭ ରନରେ ଅଲଆଉଟ୍ ହୋଇଛି । ଏଥିରେ ଫିଲିପ ସଲ୍ଟ ୨୩ ବଲରୁ ୫୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଏଥିରେ ୭ ଚୌକା ଓ ୧୩ ଛକା ସାମିଲ । ଜ୍ୟାକବ ବେଥେଲ ୧୦ ରନ କରି ଆଉଟ୍ ହୋଇଥିଲେ । ଏହି ଦୁଇ ଖେଳାଳି ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।