କଟକ: ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଆଜିଠାରୁ କାଉଣ୍ଟରରେ ମିଳିବ ଟିକେଟ୍ । କଟକ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ଦୁଇ ଦିନ ଟିକେଟ୍ ମିଳିବ । ଟିକେଟ୍ ପାଇଁ କାଉଣ୍ଟରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ସୁରକ୍ଷା ପାଇଁ ୨୫ ପ୍ଲାର୍ଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଅଫ୍ ଲାଇନରେ ଟିକେଟ୍ କିଣିବାକୁ ରାତି ଅଧରୁ କାଉଣ୍ଟର୍ ସାମ୍ନାରେ ଭିଡ଼ ପରିଲକ୍ଷିତ ହୋଇଛି । ଲମ୍ବା ଧାଡ଼ିରେ ଲୋକମାନେ ଛିଡ଼ା ହୋଇଛନ୍ତି । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି କାଉଣ୍ଟରରେ ଟିକେଟ୍ ମିଳିବ । ଟିକେଟ୍ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବା ସହିତ ସୁରକ୍ଷା ପାଇଁ ୨୫ ପ୍ଲାର୍ଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସନ୍ଧ୍ୟା ୬ଟା ଯାଏଁ ଟିକେଟ୍ ବିକ୍ରି ହେବ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।
ଅଧିକ ପଢ଼ନ୍ତୁ- ଦିଲ୍ଲୀବାସୀ ବାଛୁଛନ୍ତି ନିଜ ପସନ୍ଦର ସରକାର; ଦେଢ଼ କୋଟିରୁ ଊର୍ଦ୍ଧ୍ବ ଭୋଟର ହେବେ ଭାଗ୍ୟବିଧାତା
ପୂର୍ବରୁ ଅନଲାଇନରେ ଟିକେଟ୍ ବିକ୍ରି ସରିଥିଲା । ଓସିଏ ଅନୁବନ୍ଧିତ କ୍ଲବ, ଜିଲ୍ଲା ଆସୋସିଏନ, ଅନୁଷ୍ଠାନ ମାନଙ୍କୁ ଟିକେଟ୍ ବିକ୍ରି ମଧ୍ୟ ସରିଛି । ଦୀର୍ଘ ୩ ବର୍ଷ ପରେ ବାରବାଟୀକୁ କ୍ରିକେଟ୍ ଫେରିଥିବାରୁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ୬ ବର୍ଷ ପୂର୍ବେ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା ।
ଆସନ୍ତା ୯ ତାରିଖରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବା । ଏଥିପାଇଁ ବାରବାଟୀରେ ଓସିଏ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ବାରବାଟୀ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
ଜାଣନ୍ତୁ କେତେ ରହିଛି ଟିକେଟ୍ ମୂଲ୍ୟ...
- ଗ୍ୟାଲେରୀ ୨- ୯୦୦ ଟଙ୍କା
- ଗ୍ୟାଲେରୀ ୪- ୯୦୦ ଟଙ୍କା
- ଗ୍ୟାଲେରୀ ୭- ୭୦୦ ଟଙ୍କା
- ସ୍ୱତନ୍ତ୍ର ଏନକ୍ଲୋଜର – ୬ ହଜାର ଟଙ୍କା
- ଏସି ଗ୍ୟାଲେରୀ ବକ୍ସ – ୮ ହଜାର ଟଙ୍କା
- ନୂତନ ପାଭିଲିୟନ୍ – ୧୦ ହଜାର ଟଙ୍କା