ମୁୁମ୍ବାଇ: ଭାରତର ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଅଲରାଉଣ୍ଡର ଶିବମ ଦୁବେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ନଜର ଆସିଥିଲେ । କିନ୍ତୁ ଏବେ ଏହି ଦୁଇ ଖେଳାଳିଙ୍କୁ ଶୀଘ୍ର ରଣଜୀ ଟ୍ରଫିରେ ଦେଖିବାକୁ ମିଳିବ । ସୂର୍ଯ୍ୟ ଓ ଶିବମଙ୍କୁ ହରିୟାଣା ବିପକ୍ଷରେ ଫେବୃଆରୀ ୮ରୁ ଆରମ୍ଭ ହେଉଥିବା ରଣଜୀ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ପାଇଁ ମୁମ୍ବାଇର ୧୮ ଜଣିଆ ଦଳରେ ସାମିଲ କରାଯାଇଛି ।
ସୂର୍ଯ୍ୟ ଓ ଦୁବେ ନିକଟରେ ଇଂଲଣ୍ଡ ବିପକ୍ଷରେ ସଂପନ୍ନ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତୀୟ ଦଳର ସଦସ୍ୟ ଥିଲେ । ଦୁଇ ଖେଳାଳି ରଣଜୀ ଟ୍ରଫିର ଚଳିତ ସିଜିନରେ ୪୨ ଥର ଚାମ୍ପିଅନ ମୁମ୍ବାଇ ପକ୍ଷରୁ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିଥିଲେ । ମୁମ୍ବାଇ ମେଘାଳୟକୁ ଇନିଂସ ଓ ୪୫୬ ରନରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।
ସୂର୍ଯ୍ୟକୁମାର ଯାଦବ ଗତ ବର୍ଷ ଅକ୍ଟୋବରରେ ମୁମ୍ବାଇ ପକ୍ଷରୁ ମହାରାଷ୍ଟ୍ର ବିପକ୍ଷରେ ରଣଜୀ ଟ୍ରଫିର ଏକ ମ୍ୟାଚ୍ ଖେଳିଥିବା ବେଳେ ଶିବମ ଦୁବେ ଜମ୍ମୁ-କାଶ୍ମୀର ବିପକ୍ଷ ମୁକାବିଲାରେ ଦଳ ପକ୍ଷରୁ ଖେଳିଥିଲେ । ଏହି ମ୍ୟାଚରେ ତାରକା ବାମହାତୀ ଓପନର ଯଶସ୍ୱୀ ଜୟସ୍ୱାଲ ସାମିଲ ଥିଲେ । ମୁମ୍ବାଇ ଏହି ମ୍ୟାଚ୍ ହାରିଥିଲା ଏବଂ ଦଳକୁ ନକଆଉଟରେ ପହଞ୍ଚିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ମାତ୍ର ମେଘାଳୟ ବିପକ୍ଷରେ ବିଶାଳ ବିଜୟ ପରେ ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ।
ମୁମ୍ବାଇର ଦଳ
ଆଜିଙ୍କ୍ୟ ରାହାଣେ(ଅଧିନାୟକ), ଆୟୁଷ ମହାତ୍ରେ, ଅଙ୍ଗକୃଷ ରଘୁବଂଶୀ, ଅମୋଘ ଭଟକଲ, ସୂର୍ଯ୍ୟକୁମାର ଯାଦବ, ସିଦ୍ଧେଶ ଲାଡ, ଶିବମ ଦୁବେ, ଆକାଶ ଚାନ୍ଦ(ୱିକେଟ୍ କିପର), ହାର୍ଦ୍ଦିକ ତାମୋରେ(ୱିକେଟ୍ କିପର), ସୂର୍ଯ୍ୟାଂଶ ଶେଡଗେ, ଶାର୍ଦ୍ଦୁଳ ଠାକୁର, ଶାମ୍ସ ମୁଲାନୀ, ତନୁଷ କୋଟିୟାନ, ମୋହିତ ଅବସ୍ଥି, ସିଲଭେଷ୍ଟ ଡିସୁଜା, ରୟଷ୍ଟନ ଡାଏସ, ଅଥର୍ବ ଅଙ୍କୋଲକର ଓ ହର୍ଷ ତନ୍ନା ।