ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଉଦଘାଟନୀ ମ୍ୟାଚ୍ ଫେବୃଆରୀ ୧୯ରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ସବୁଠୁ ହାଇ ଭୋଲଟେଜ୍ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଉପର ସାରା କ୍ରିକେଟ୍ ଜଗତର ନଜର ରହିଛି । ପ୍ରଶଂସକ ଓ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି । ଦୁବାଇରେ ଖେଳା ଯିବାକୁ ଥିବା ଏହି ମହାମୁକାବିଲା ପାଇଁ ଆଜି ଭାରତୀୟ ସମୟ ସନ୍ଧ୍ୟା ୫ଟା ୩୦ରେ ଟିକେଟ୍ ବିକ୍ରି ହେବ । ଆଇସିସି ମୁତାବକ ସାଉଦି ଆରବର ମୁଦ୍ରା ହିସାବରେ ସବୁଠୁ ଶସ୍ତା ଟିକେଟ୍ ୧୨୫ ଦିରହମ ବରାବର ରହିବ । ଏହା ଭାରତୀୟ ମୁଦ୍ରାର ପ୍ରାୟ ୩ ହଜାରର ବରାବର ହେବ ।
ପାକିସ୍ତାନରେ ହେବାକୁ ଥିବା ମ୍ୟାଚର ଟିକେଟର ବିକ୍ରି ଗତ ମଙ୍ଗଳବାରଠୁ ଆରମ୍ଭ ହୋଇ ସାରିଛି । ଯେଉଁ ଲୋକେ ଅଫଲାଇନରେ ଟିକେଟ୍ କିଣିବାକୁ ଚାହାନ୍ତି, ସେମାନେ ପାକିସ୍ତାନ ସମୟ ଅନୁସାରେ ଫେବୃଆରୀ ୩ ଅପରାହ୍ଣ ୪ଟାରୁ ଟିକେଟ୍ କିଣି ପାରିବେ । ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ଦୁବାଇରେ ଖେଳାଯିବ । ଆଇସିସି କହିଛି ଯେ, ଫାଇନାଲ୍ ମ୍ୟାଚର ଟିକେଟ୍ ଦାମ ସେମି ଫାଇନାଲ ସରିବା ପରେ ସ୍ଥିର କରାଯିବ ଏବଂ ବିକ୍ରି ପାଇଁ ଉପଲବ୍ଧ ହେବ ।
ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହୋଇ ୧୯ ଦିନ ଧରି ଚାଲିବ । ଏହି ସମୟରେ ମୋଟ୍ ୧୫ଟି ମ୍ୟାଚ୍ ଖେଳାଯିବ । ସମସ୍ତ ୮ଟି ଦଳକୁ ଚାରି ଚାରି ଲେଖାଏଁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ ଏରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ରହିଛି । ଗ୍ରୁପ ବିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନକୁ ରଖାଯାଇଛି । ଚାମ୍ପିଅନ୍ସ ଟ୍ରଫିର ମ୍ୟାଚ୍ ଗୁଡିକ ପାକିସ୍ତାନର କରାଚି, ଲାହୋର ଓ ରାୱଲପିଣ୍ଡିରେ ଖେଳାଯିବ । ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ ।