ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଓ ଏହାର ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଶକ୍ତ ଝଟକା। ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଛନ୍ତି ବୁମରା। ଏହି ତାରକା ଖେଳାଳିଙ୍କୁ ସିରିଜ୍ର ଶେଷ ମ୍ୟାଚ୍ ପାଇଁ ଦଳରେ ଚୟନ କରାଯାଇଥିଲା।
ଯଶପ୍ରୀତ ବୁମରାଙ୍କ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆ ଖେଳିବା ମୁସ୍କିଲ ଥିଲା। ତେଣୁ ତାଙ୍କୁ କେବଳ ଶେଷ ଦିନିକିଆ ପାଇଁ ଚୟନ କରାଯାଇଥିଲା। କିନ୍ତୁ ଏବେ ବୁମରାଙ୍କୁ ପୂରା ସିରିଜ୍ରୁ ବାଦ୍ ଦିଆଯାଇଛି। ବୁମରା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଟେଷ୍ଟରେ ଆହତ ହୋଇଥିଲେ। କିନ୍ତୁ ଆଶା କରାଯାଉଥିଲା ବୁମରା ଶେଷ ଦିନିକିଆ ସୁଦ୍ଧା ଫିଟ୍ ହୋଇଯିବେ। କିନ୍ତୁ ସଦ୍ୟତମ ରିପୋର୍ଟ ଅନୁଯାୟୀ, ବୁମରାଙ୍କ କେବଳ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ନୁହେଁ ବରଂ ଚାମ୍ପିଅନ୍ସ ଟ୍ରଫି ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ସୋମବାର ବୁମରାଙ୍କୁ ନେଇ ରିପୋର୍ଟ ଆସିଥିଲା। ରିପୋର୍ଟରେ ଦର୍ଶାଯାଇଥିଲା ଯେ, ବୁମରା ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ଅଛନ୍ତି। ସେଠାରେ ତାଙ୍କର ଫିଟନେସ୍ ଟେଷ୍ଟ ହେବ। ବର୍ତ୍ତମାନ ସେ ଡାକ୍ତରୀ ଦଳର ନିରୀକ୍ଷଣରେ ଅଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବୁମରା ୨-୩ ଦିନ ପର୍ଯ୍ୟନ୍ତ ଏନସିଏର ବିଶେଷଜ୍ଞ ଡାକ୍ତରଙ୍କ ନଜରରେ ରହିବେ। ପୂରା ଯାଞ୍ଚ ପରେ ରିପୋର୍ଟ ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଜାତୀୟ ଚୟନ କମିଟିକୁ ଦିଆଯିବ।
ହାତରେ ଅଛି ମାତ୍ର ୭ ଦିନ ବୁମରାଙ୍କୁ ଭାରତୀୟ ଦଳରେ ଚୟନ କରାଯିବ କି ନାହିଁ ତାହା ସ୍ଥିର କରିବା ପାଇଁ ବିସିସିଆଇ ପାଖରେ ୭ ଦିନର ସମୟ ରହିଛି। ଆଇସିସିର ଡେଡଲାଇନ ହିସାବରେ ଫେବୃଆରୀ ୧୨ ତାରିଖ ସୁଦ୍ଧା ସମସ୍ତ ଟିମ୍ ନିଜ ସ୍କ୍ଵାର୍ଡରେ ପରିବର୍ତ୍ତନ କରି ପାରିବେ।