ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡ ଘରୋଇ ଭାରତକୁ ୮ ୱିକେଟରେ ହରାଇଛି । ମ୍ୟାଚର ପଞ୍ଚମ ଦିନରେ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୧୦୭ ରନ ଆବଶ୍ୟକ ଥିଲା । ଯାହାକୁ ଦଳ ୨ ୱିକେଟ ହରାଇ ଜିତି ନେଇଛି । ଏଥିସହ ଦୀର୍ଘ ୩୬ ବର୍ଷ ପରେ କିୱି ଦଳ ଭାରତରେ ଟେଷ୍ଟ ମ୍ୟାଚ୍ ଜିତିବାରେ ସଫଳ ହୋଇଛି । ରଚିନ ରବୀନ୍ଦ୍ର ଓ ୱିଲ ୟଙ୍ଗ ତୃତୀୟ ୱିକେଟରେ ୭୨ ରନ ଯୋଡି ଦଳର ବିଜୟ ସୁନିଶ୍ଚିତ କରିଥିଲେ । ଶେଷ ଦିନରେ ଭାରତ ପକ୍ଷରୁ ଏକମାତ୍ର ବୋଲର ଭାବେ ଯଶପ୍ରୀତ ବୁମରା ୨ଟି ୱିକେଟ୍ ନେଇଛନ୍ତି ।
ଆଉଟ୍ ଫିଲ୍ଡ ଅଦା ଥିବା କାରଣରୁ ପଞ୍ଚମ ଦିନର ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା । ବିନା ସ୍କୋରରେ ଅଧିନାୟକ ଟମ ଲାଥମଙ୍କୁ ଆଉଟ୍ କରି ବୁମରା ଭାରତ ପାଇଁ ବିଜୟ ଆଶା ସଞ୍ଚାର କରିଥିଲେ । ଏହା ପରେ ଡେଭନ କନବେ ଓ ୱିଲ ୟଙ୍ଗ ୩୫ ରନ ଯୋଡିଥିଲେ । ଡେଭନ(୧୭)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମରା ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ । ଏହା ପରେ ୟଙ୍ଗ ଓ ରଚିନ ରବୀନ୍ଦ୍ର ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ । ୟଙ୍ଗ ୪୮ ରନ ଓ ରଚିନ ୩୯ ରନରେ ଅପରାଜିତ ରହି ଦଳକୁ ୮ ୱିକେଟରେ ଜିତାଇଛନ୍ତି ।
ଏହା ପୂର୍ବରୁ ଗତକାଲି ଭାରତ ଦ୍ୱିତୀୟ ଇନିଂସରେ ୪୬୨ ରନରେ ଅଲଆଉଟ୍ ହୋଇଥିଲା । କିନ୍ତୁ ପ୍ରଥମ ଇନିଂସରେ ୪୬ ରନରେ ଅଲଆଉଟ୍ ହେବା ଦଳ ପରାଜୟର ବଡ କାରଣ ପାଲଟିଛି । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ସରଫରାଜ ଖାନ ୧୫୦ ରନ କରିଥିବା ବେଳେ ଋଷଭ ପନ୍ତ ୯୯ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୫୨ ରନ ଓ ବିରାଟ କୋହଲି ୭୦ ରନ କରିଥିଲେ । ଏହା ପୂର୍ବରୁ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୪୦୨ ରନ କରି ଭାରତଠୁ ୩୫୬ ରନ ଅଗ୍ରଣୀ ହାସଲ କରିଥିଲା ।
ଭାରତ ଚତୁର୍ଥ ଦିନର ପ୍ରଥମ ଦୁଇଟି ସେସନ ଭଲ ବ୍ୟାଟିଂ କରିଥିଲା । ତେବେ ସରଫରାଜ ଖାନଙ୍କ ଆଉଟ୍ ହେବା ସହ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଏକଦା ୩ ୱିକେଟ୍ ହରାଇ ୪୦୮ ରନ କରିଥିବା ଭାରତ ଶେଷ ୭ ୱିକେଟ୍ ୫୪ ରନରେ ହରାଇଥିଲା । ଫଳରେ ଭାରତ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ବଡ ଟାର୍ଗେଟ୍ ଦେବାରେ ବିଫଳ ହୋଇଥିଲା ।
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ଏ ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟ୍ ଇତିହାସରେ ଭାରତୀୟ ମାଟିରେ ମାତ୍ର ୨ଟି ଟେଷ୍ଟ ଜିତିବାରେ ସକ୍ଷମ ହୋଇଥିଲା । ଦଳ ୧୯୬୯ ଓ ୧୯୮୮ରେ ବିଜୟ ଲାଭ କରିଥିଲା । ଏବେ ୩୬ ବର୍ଷ ପରେ ନ୍ୟୁଜିଲାଣ୍ଡ ବେଙ୍ଗାଲୁରୁ ଟେଷ୍ଟ ଜିତି ଇତିହାସ ରଚିଛି । ଏହି ବିଜୟରେ ବୋଲର ମ୍ୟାଟ ହେନେରୀଙ୍କ ବଡ ଯୋଗଦାନ ଦେଇଛନ୍ତି । ସେ ଦୁଇଟି ଇନିଂସରେ ମୋଟ୍ ୮ ୱିକେଟ୍ ନେଇଛନ୍ତି । ୱିଲିୟମ ଓ ରୁରକେ ୭ ସଫଳତା ହାସଲ କରିଛନ୍ତି ।